Odiapua.com

ଜିଲ୍ଲାରେ ପ୍ରଥମ ଥର ୩ଜଣ ଭିନ୍ନକ୍ଷମଙ୍କୁ ଥେରାପିଉଟିକ ସେବା ପାଇଁ ଭୁବନେଶ୍ୱର ପ୍ରେରଣ

କେନ୍ଦ୍ରାପଡ଼ା, ୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭୁବନେଶ୍ୱରର ପୋଖରୀପୁଟଠାରେ ରାଜ୍ୟ ଭିନ୍ନକ୍ଷମ ଅନୁଷ୍ଠାନ ଗଠନ କରି ସେଠାରେ ଏକ ବର୍ଷରୁ ୧୪ ବର୍ଷ ମଧ୍ୟରେ ଆସୁଥିବା ବିଭିନ୍ନ ପ୍ରକାର ଭିନ୍ନକ୍ଷମଙ୍କୁ ବିଭିନ୍ନ ପ୍ରକାର ଥେରାପିଉଟିକ ସେବା ଓ ସ୍ୱତନ୍ତ ଶିକ୍ଷା (ସଙ୍ଗୀତ, କଳା, କ୍ରାପ୍ଟ) ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେଠାରେ ଅଭିଜ୍ଞ ପ୍ରଶିକ୍ଷକମାନେ ରହି ମାଗଣାରେ ଏହି ସେବା ଯୋଗାଇ ଦେଉଛନ୍ତି। ସେଠାରେ ରହୁଥିବା ଭିନ୍ନକ୍ଷମ ଓ ଜଣେ ସହାୟକଙ୍କ ରହିବା, ଖାଇବା ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ଏପରିକି ତାଙ୍କ ଘରଠାରୁ ଉକ୍ତ ଅନୁଷ୍ଠାନ ପର୍ଯ୍ୟନ୍ତ ସରକାରୀ ଖର୍ଚ୍ଚରେ ନେଇ ପହଞ୍ôଚାଇବା ଓ ଫେରାଇଆଣି ଘରେ ପହଞ୍ôଚାଇବାର ବ୍ୟବସ୍ଥା ରହିଛି। ଏହି ମର୍ମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଶଙ୍ଖପଦା ଗ୍ରାମର ରାଜକିଶୋର ସ୍ୱାଇଁଙ୍କ ଦୁଇ ଯାଆଁଳା ପିଲା ଅହମ ସ୍ୱାଇଁ(୪ ବର୍ଷ) ଓ ଅହଲ୍ୟା ସ୍ୱାଇଁ(୪ ବର୍ଷ) ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବଡମୂଳବସନ୍ତ ଗ୍ରାମର ବାଦଲ ମଲ୍ଲିକଙ୍କ ୬ବର୍ଷର ସାଇ ମଲ୍ଲିକଙ୍କ ଅଭିଭାବକଙ୍କୁ ବୁଝାଇ ଆଜି ଏକ ସ୍ୱତନ୍ତ୍ର ଗାଡିରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀଙ୍କ ତତ୍ତ୍ୱାବଧାନରେ ପଠାଯାଇଛି। ଆଜି ସକାଳୁ ସେମାନଙ୍କୁ ପ୍ରଶାସନ ଦୁଇଟି ସ୍ୱତନ୍ତ୍ର ଗାଡିରେ ତାଙ୍କ ଗ୍ରାମରୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଥିଲେ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ପିଲାମାନଙ୍କୁ ଖେଳନା ଓ ମିଠା ପ୍ୟାକେଟ ଦେଇ ସ୍ୱାଗତ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଏହି ନୂତନ ଯୋଜନା ଉପରେ ସମସ୍ତଙ୍କୁ ଅବଗତ କରିବା ପରେ ଉଭୟ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଗାଡିକୁ ଭୁବନେଶ୍ୱର ଅଭିମୁଖେ ପଠାଇଥିଲେ। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଭିନ୍ନକ୍ଷମଙ୍କୁ ସେବା ଯୋଗାଇଦେବାରେ ଅଗ୍ରାଧିକାର ଦେଉଥିବାର ପ୍ରମାଣ ଆଜିର ଏହି କାର୍ଯ୍ୟକ୍ରମ ଏକ ଅଂଶ ବିଶେଷ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି। ଏଭଳି ଏକବର୍ଷରୁ ୧୪ ବର୍ଷର ଭିନ୍ନକ୍ଷମ ପିଲାମାନେ ଯଦି ମାଗଣାରେ ଥେରାପିଉଟିକ ସେବା ଚାହାନ୍ତି ତେବେ ସ୍ଥାନୀୟ ବ୍ଲକ କିମ୍ବା ଜିଲ୍ଲା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।