Odiapua.com

ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨ – ସହରରେ ଚିହ୍ନଟ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି

ବାଲେଶ୍ୱର, ୨୬ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସରକାର ସମେତ ସାଧାରଣ ଲୋକଙ୍କ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଆଜି ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୧୮ପଜିଟିଭ୍‌ଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୬୧୮୦ଛୁଇଁଥିବା ବେଳେ ଅନୁରୂପ ଭାବେ ଓଡ଼ିଶାରେ ଅରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି। ଆଜି ୧୩୧ଜଣଙ୍କୁ ମିଶାଇ ଅଦ୍ୟାବଧି ଓଡ଼ିଶାରେ୪୪୨୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ସ୍ଥିର ରହିଥିବା ବେଳେ ବେଳେ ୧୭୩୪ ଜଣ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି। ସେହିଭଳି ବାଲେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତା ବଢ଼ାଇ ଚାଲିଛି। ଆଜି ନୂଆ ଚିହ୍ନଟ ୭ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ସକ୍ରମିତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଅଦ୍ୟାବଧି ୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦୭ ଜଣ ଏବେ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଚିହ୍ନଟ ୭ଜଣଙ୍କ ମଧ୍ୟରୁ ୩ ଜଣ ସହରର ମାଣିଖମ୍ବ ଅଞ୍ଚଳରୁ ବୋଲି ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ସେମାନେ କେଉଁ ଉତ୍ସରୁ ସଂକ୍ରମିତ ହେଲେ ଓ ସେମାନଙ୍କ ସଂସ୍ପର୍ଶରେ କେଉଁ କେଉଁମାନେ ଆସିଛନ୍ତି ତାହା ଏବେ ଟ୍ରେସିଂ ଚାଲିଛି। ଏନେଇ ଆବଶ୍ୟକ ପଡ଼ିଲେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଅନଲକ୍‌-୧ର ଅବଧି ଶେଷ ହୋଇ ଆସୁଥିବା ବେଳେ ଜୁଲାଇ ୧ ତାରିଖରୁ ପୁଣି କେଉଁ କଟକଣା ସବୁ କୋହଳ କରାଯିବ ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଇଛି।