Odiapua.com

ଜିଲ୍ଲାବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଶେଷ ଉଦ୍ୟମ – ଗଠିତ ହେଲା‘ଭଏସ ଅଫ୍ ବାଲେଶ୍ୱର’

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ବିଭିନ୍ନ କ୍ଷେତ୍ର ଦେଖାଦେଇଥିବା ବିପର୍ଯ୍ୟସ୍ଥ ଅବସ୍ଥା ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆଜି ଜନ୍ମ ନେଇଛି ପ୍ରତିବାଦର ସ୍ୱର ‘ ଭଏସ ଅଫ୍ ବାଲେଶ୍ୱର’ ସଂଗଠନ। ଦଳ, ଗୋଷ୍ଠୀ ଓ ବର୍ଣ୍ଣ ନିର୍ବିଶେଷରେ ଜନସାଧାରଣଙ୍କ ମୌଲିକ ସମସ୍ୟା ସମାଧାନକୁ ଏହି ସଂଗଠନ ଆଗ୍ରାଧିକାର ଦେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଜିଲ୍ଲାର ଯେ କୌଣସି ଅଞ୍ଚଳରେ ଦେଖାଦେଇଥିବା ସମସ୍ୟା ସାଙ୍ଗକୁ ହେଉଥିବା ଅନ୍ୟାୟକୁ ବିରୋଧ କରିବା ସହ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଏହି ସଂଗଠନ ଆଜି ଶୁଭ ଦୀପାବଳିରେ ଜନ୍ମ ନେଇଛି ବୋଲି ଆବାହକ ଯୁବନେତା ଅରଜିତ୍ ଘୋଷାଲ ପ୍ରକାଶ କରିଛନ୍ତି। ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକଙ୍କୁ ଥଇଥାନ, ଗରିବ ପରିବାରର କନ୍ୟା ଓ ପୁତ୍ରଙ୍କ ବିବାହ, ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ, ଅସହାୟ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନେଇ ଏହି ସଂଗଠନ ଉଚିତ ପଦକ୍ଷେପ ଗ୍ରହଣର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଘୋଷାଲ ସୂଚନା ଦେଇଛନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରାଜନୀତିର ଊର୍ଦ୍ଧ୍ୱରେ ରହି ଭଏସ ଅଫ ବାଲେଶ୍ୱର ତା’ର କାର୍ଯ୍ୟ କରିବ। ଯେ କୌଣସି ବ୍ୟକ୍ତି ଏହି ସଂଗଠନ ସହ ଯୋଡ଼ିହେବା ସହ ଏହାର ଲୋକାଭିମୁଖୀ କାର୍ଯ୍ୟଧାରାକୁ ଆଗେଇ ନେବାର ସହାହୟ ହୋଇ ପାରିବେ। ସ୍ୱଚ୍ଛ ନିରପେକ୍ଷ ଆଭିମୁଖ୍ୟ ନେଇ ଜନ୍ମନେଇଥିବା ଏହି ଭଏସ ଅଫ ବାଲେଶ୍ୱରକୁ ଆଗେଇ ନେବା ପାଇଁ କର୍ମକର୍ତ୍ତାମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୌତମ ସେଠୀ, ସୌମ୍ୟରଂଜନ ପାଣିଗ୍ରାହୀ, ସୌଭାଗ୍ୟ ମାନସ ନାୟକ, ସୁଶୀଳ ଜେନା, ଦୀପକ ମିଶ୍ର, ଶୁଭଦୀପ ଚକ୍ରବର୍ତ୍ତୀ, ଅଭିଷେକ ବେହେରା, ସ୍ମୃତିତୀର୍ଥ ମହାନ୍ତି, ଅଜୟ କୁମାର ଦାସ, ହେମନ୍ତ ମହାପାତ୍ର, ଦିବ୍ରଶକ୍ତି ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।