Odiapua.com

ଜିଲ୍ଲାପାଳ ଓ ଶାସନ ସଚୀବଙ୍କ ବନ୍ୟାଞ୍ଚଳ ଗସ୍ଥ। ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା

ଜଗତସିଂହପୁର-୩୦/୮ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) -ବନ୍ୟା ଜନିତ ପରିସ୍ଥିତିର ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟ ବ୍ରତ ସାହୁ ଜଗତସିଂହପୁର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ଥକରି କ୍ଷୟକ୍ଷତି ର ଆକଳନ କରିଥିଲେ। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ଯୋଗାଣ ଅଧିକାରୀ, ମୁଖ୍ୟ ପ୍ରାଣୀ ଚିକିତ୍ସକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, କୃଷି ଅଧିକାରୀ, ଜରୁରୀକାଳୀନ ଅଧିକାରୀ, ମହାନଦୀ ସାଉଥ ଓ ଜଗତସିଂହପୁର ଜଳସଂପଦ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ଯଉନ୍ନୟନ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଜଇପୁର ଆମେନିଟ ସେଣ୍ଟରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ୧୪ ଟି ପଞ୍ଚାୟତ ଏବେ ଜଳମଗ୍ନ। ପଲିଥିନ ମହଜୁଦ ରଖିବା ସାଙ୍ଗକୁ ଚୂଡା, ଗୁଡ, ମହମବତୀ ବନ୍ୟା ଞ୍ଚଳକୁ ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ସାପ କାମୁଡା ଔଷଧ, ହାଲୋଜିନ ବଟିକା ପିଏଚସି ଓ ସିଏଚସି ରେ ମହଜୁଦ ରଖିବାକୁ କୁହାଯାଇଛି। ମୋବାଇଲ ହେଲଥ୍ ଟିମ୍ କୁ ଜରୁରୀ ସ୍ବାସ୍ଥ୍ୟ ସେବା ପାଇଁ ପଠାଇବା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ମହାନଦୀ, ପାଇକା ଓ ଦେବୀ ନଦୀରେ ବନ୍ୟା ଜଳ ଅଧିକ ପ୍ରଭାହିତ ହେବାକୁ ଥିବାରୁ ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରଖାଯାଇଛି। ତାଜା ସୂଚନା ମୁତାବକ ଆଜି ଅପରାହ୍ନ ୬ଟା ସୁଦ୍ଧା ରଘୁନାଥପୁର ବ୍ଲକର ତାରପୁରଠାରେ ମହାନଦୀର ଜଳପତନ ୧୧.୦୭ ମିଟର ଥିବାବେଳେ ତିର୍ତୋଲ ବ୍ଲକର ତାରତୋଲ ଠାରେ ୫.୨୯ମିଟର ଓ କୁଜଙ୍ଗ ବ୍ଲକର ଚୌଧୁରୀ ଗଡାଠାରେ ୩.୨୫ ମିଟର ଜଳ ପ୍ରବାହିତ ହେଉଥିବା ରେର୍କଡ କରାଯାଇଛି। କେବଳ ତାରପୁରଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିପରି ତିର୍ତୋଲ ବ୍ଲକର ଶଙ୍ଖେଶ୍ବରଠାରେ ପାଇକା ନଦୀର ଜଳ ପତନ ୨୬.୭୦ ଫୁଟରେ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଙ୍କେତ ୨୨.୭୫ ଫୁଟ। ବିରିଡି ବ୍ଲକର ଦଳେଇଘାଇଠାରେ ଦେବୀ ନଦୀର ଜଳପତ୍ତନ ୫୭.୧୦ ଫୁଟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି, ଜଗତସିଂହପୁର ବ୍ଲକର ଆଳିପିଙ୍ଗଳଠାରେ୧୧.୧୬ମିଟର ଓ ବାଲିକୁଦା ବ୍ଲକର ମାଛଗାଁଠାରେ ୧୪.୪୦ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ବନ୍ୟା ଆଶଙ୍କା ଥିବା ଗ୍ରାମରୁ ଯେକୌଣସି ମତେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଓ ଜିରୋ କାଜୁଆଲିଟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନକୁ ଗୁରୁତ୍ୱ ଦିଆଯାଇଛି। ସେଦୃଷ୍ଟିରୁ ଜଗତସିଂହପୁର ବ୍ଲକର ୧୨ ଜଣ, ତିର୍ତୋଲ ବ୍ଲକର ୪୧୨ ଜଣ ଏବଂ କୁଜଙ୍ଗ ବ୍ଲକର ୧୫୦ ଜଣ ଲୋକଙ୍କୁ ଆଶ୍ରୟସ୍ଥଳିକୁ ପ୍ରଶାସନ ସ୍ଥାନାନ୍ତର କରିଛି। ତିର୍ତୋଲ ବ୍ଲକର କୋଲର, ଗୋପାଳପୁର, ଶଙ୍ଖେଶ୍ବର, ପୋଷଲ, ତିର୍ତୋଲ ଓ କଟରା, କୁଜଙ୍ଗ ବ୍ଲକର ଜିଲ୍ଲାନାସୀ, ସାଇଲୋ, ହଂସୁରା, ବାଲିକଣି ଓ କାଠକୋଟ ଏବଂ ଜଗତସିଂହପୁର ବ୍ଲକର ଆଳିପିଙ୍ଗଳ ଓ କଣ୍ଟିଲୋ ବନ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। କୁଜଙ୍ଗ ବ୍ଲକର ୯ ଟି ପଞ୍ଚାୟତର ୨୪ ଟି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୨୦, ୨୩୮ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ତିର୍ତୋଲ ବ୍ଲକର ୫ ଟି ପଞ୍ଚାୟତର ୫ ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୪୧୨ ଜଣ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ୧୨୩ କେଜି ଚୂଡା, ୪୨ କେଜି ଗୁଡ ବନ୍ୟା ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଜିଲ୍ଲାରେ ୪୨ ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଏବଂ ୫୪୨ ବିଦ୍ୟାଳୟ, ପଞ୍ଚାୟତ ଓ ଅଙ୍ଗନବାଡି କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି। ଗୋଟିଏ ଓଡ୍ରାଫ ଟିମ, ଗୋଟିଏ ଏନଡିଆରଏଫ ଟିମ୍ ଏବଂ ୪ ଟି ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ବନ୍ୟାଞ୍ଚଳକୁ ମୁତୟନ ହୋଇଛନ୍ତି। ବନ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।