Odiapua.com

ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା

ଯାଜପୁର ୧୧ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ମା’ ବିରଜାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ୪ ବର୍ଷ ମଧ୍ୟରୁ ମେଡ଼ିକାଲ କଲେଜ, କୁସୁମା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ, ନୂତନ ଏମ-ସି-ଏଚ ବିଲ୍ଡିଂର କାର୍ଯ୍ୟକ୍ଷମ, ଆଡ଼ମିନ୍‌ଷ୍ଟ୍ରେଟିଭ ଏନକ୍ଲେଭର ବ୍ୟବସ୍ଥା- ବରାହ ମନ୍ଦିର ନିକଟରେ ପର୍ଯ୍ୟଟନର ବିକାଶ ପାଇଁ ଏକାଧିକ ପ୍ରକଳ୍ପ ନିର୍ମାଣ, ସଂଗ୍ରହାଳୟ ପ୍ରତିଷ୍ଠା, ଦଶାଶ୍ୱମେଧ ଘାଟର ଉନ୍ନତିକରଣ ଓ ବୈତରଣୀ ନିକଟରେ ଆଳତୀ ବ୍ୟବସ୍ଥା, ବିରଜା ମନ୍ଦିରର ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ ସହ ଆଲୋକକରଣ ବ୍ୟବସ୍ଥା, ଅତ୍ୟାଧୁନିକ ବସ ଟର୍ମିନାଲର ନିର୍ମାଣ, ପାନ୍ଥନିବାସର ଆଧୁନିକୀକରଣ, ଯାଜପୁର ରୋଡସ୍ଥିତ ହସ୍ପିଟାଲ ଆଧୁନିକୀକରଣ ଓ ୨୦୦ ଶଯ୍ୟା ବିଶିଷ୍ଠ ସେବା ପ୍ରଦାନ, ଏନ୍‌-ସି କଲେଜକୁ ବିଶ୍ୱସ୍ତରୀୟ କରିବାର ବ୍ୟବସ୍ଥା, ବ୍ୟାସସରୋବର, କଂଟିଗଡିଆ ପୋଖରୀର ଉନ୍ନତିକରଣ, ନେଉଳପୁର ପାହାଡ଼ ଉପରେ ବୁଦ୍ଧ ମୁର୍ତି ସ୍ଥାପନ, ଯାଜପୁର ରୋଡ଼ ଟାଉନହଲର ଉନ୍ନତୀକରଣ, ଯାଜପୁର ରୋଡ଼ ସଂସ୍କୃତି ଭବନର ନିର୍ମାଣ ଇତ୍ୟାଦି ପାଇଁ ପଦକ୍ଷେପ ନିଆଯାଇଛି। ପାଣିକୋଇଲି ଠାରେ ଏକ ଟ୍ରମା କେୟାର ୟୁନିଟ, ଏୟାରଷ୍ଟ୍ରିପ୍ ଓ ଆଇ-ଟି- ପାର୍କ ପ୍ରତିଷ୍ଠା ଇତ୍ୟାଦିର ପଦକ୍ଷେପ ନିଆଯାଇଛି। ପାଣିକୋଇଲି ଓ ବ୍ୟାସନଗର ସହରକୁ ଡ଼ି-ଏମ-ଏଫ ପର୍ଯ୍ୟାୟଭୁକ୍ତ କରି ଏଠାରେ ଅତ୍ୟାଧୁନିକ ଯଯାତି ନଗର ସହରର ପରିକଳ୍ପନା ମଧ୍ୟ କରାଯାଇଛି। ଜିଲ୍ଲାର ଚିତ୍ର ଦ୍ରୁତ ଗତିରେ ବଦଳୁଛି। ଯଦିଓ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲାର ଚୀର ସହଚର ତଥାପି ଯାଜପୁରବାସୀ ସାହାସର ସହ ତାହାର ମୁକାବିଲା କରିଛନ୍ତି। ସେହିପରି କରୋନାରେ ମଧ୍ୟ ଜିଲ୍ଳାବାସୀଙ୍କର ସହଯୋଗ ଓ ସରକାରୀ ମାର୍ଗ ଦର୍ଶିକା ପ୍ରତି ଆନ୍ତରିକତା ଅତ୍ୟନ୍ତ ଉତ୍ସାହପ୍ରଦ। ତେଣୁ ଏହି ଦୀର୍ଘ ସମୟର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଲୋକ ପ୍ରତିନିଧି, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଂଟର ଅଧିକାର- କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ, ସମାଜସେବୀ ଓ ସାଧାରଣ ଲୋକଙ୍କର ସହଯୋଗ ଓ ସଦିଚ୍ଛା ପାଇ କାମ କରିବାରେ ପ୍ରେରଣା ପାଇଛି, ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରୁଛି। ଅପରପକ୍ଷରେ କିଛି ଆତ୍ମଘୋଷିତ ବୁଦ୍ଧିଜୀବି, ସମାଲୋଚକ ଯେଉଁମାନେ ତାଙ୍କର ସୋସିଆଲ ମିଡିଆ ମାଧ୍ୟମରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ସମାଲୋଚନା ଓ କଟାକ୍ଷ କରିଛନ୍ତି ସେମାନଙ୍କୁ ମଧ୍ୟ ଅନ୍ତରରୁ କୃତଜ୍ଞତା ଜଣାଉଛି। କାରଣ ସୋମାନଙ୍କର ସୁସ୍ଥ ସମାଲୋଚନା ଆମ କାର୍ଯ୍ୟକୁ ଅଧିକ କ୍ରୀୟାଶୀଳ ଓ ତ୍ୱରିତ କରିବାରେ ସାହାଯ୍ୟ କରିଛି। ଅବଶ୍ୟ ସେମାନଙ୍କର ବ୍ୟକ୍ତିଗତ ଅସୂୟାପୂର୍ଣ୍ଣ ବାର୍ତ୍ତାକୁ ମୁଁ ଗ୍ରହଣ ନକରି ସେମାନଙ୍କୁ ଫେରସ୍ତ କରୁଛି ଯାହାକି ସେମାନଙ୍କ ପାଇଁ ଭବିଷ୍ୟତର ପୁଞ୍ଜି ବୋଲି ସେମାନେ ବିବେଚନା କରିପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ମା ବିରଜା ସମସ୍ତଙ୍କୁ ଆର୍ଶୀବାଦ କରନ୍ତୁ ଓ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ନୂତନ ଜିଲ୍ଲାପାଳ ସଫଳ ହୁଅନ୍ତୁ ବୋଲି ନିଜ ଶୁଭେଚ୍ଛା ବାର୍ତ୍ତାରେ ଜିଲ୍ଲାପାଳ ଶ୍ରୀ ଦାସ ଅଭିନନ୍ଦନ ଜଣାଇଛନ୍ତି।