ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସୋମେଶ କୁମାର ଉପାଧ୍ୟାୟ, ଆଜି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀଙ୍କ ସହ ଚାନ୍ଦବାଲି ବ୍ଲକର ଯଶୀପୁର, କୁଦ, ନଳଗୋହିରା ଓ ଚରଡ଼ିଆ ଆଦି ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବନ୍ୟା ପରିସ୍ଥିତି, ଜଳମଗ୍ନ ଅଂଚଳ, ରାସ୍ତାଘାଟର ସ୍ଥିତି, ଯୋଗାଯୋଗ ବ୍ୟବସ୍ଥା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ବିଶେଷକରି ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତା ଓ ଯାତାୟାତ ବ୍ୟବସ୍ଥାର ଶୀଘ୍ର ପୁନରୁଦ୍ଧାର ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସହାୟତା ଯେପରି ନିରନ୍ତର ଭାବେ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିବ, ସେନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ସହ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳ କହିଥିଲେ।