କେନ୍ଦ୍ରାପଡ଼ା ୧୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଖରସ୍ରୋତା ବଞ୍ଚଓ ସଂଗ୍ରାମ ସମିତି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାରରୁ ଉର୍ଦ୍ଧ୍ୱ ଲୋକମାନଙ୍କ ଦ୍ୱାରା ଗଣଧାରଣା ଦିଆଯାଇଥିଲା। ପ୍ରକାଶ ଥାଉକି ରାଜକନିକାସ୍ଥିତ ବରୁଣାଡିହା ଠାରେ ବିବାଦୀୟ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ଆଜିର ଏହି ଆନ୍ଦୋଳନରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଆନ୍ଦୋଳନକାରୀମାନେ ଘେରିଥିଲେ। ପ୍ରଥମେ ଏହି ପ୍ରକଳ୍ପ ଯାଜପୁର ଜିଲ୍ଲାର ଆଖୁଆପଦା ଠାରେ ପ୍ରତିଷ୍ଠା ହେବା ପାଇଁ ସ୍ଥିର ହୋଇଥିବା ବେଳେ ତାହାକୁ ସେତେବେଳେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଅଗୋଚରରେ ସମସ୍ତ ପ୍ରକାର ନୀତି ନିୟମକୁ ଉଲ୍ଲଙ୍ଘନ କରି ଏହାକୁ ରାଜକନିକାସ୍ଥିତ ବରୁଣାଡିହା ଠାରେ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ କୈାଣସି ଜନଶୁଣାଣୀ ନକରି ପରିବେଶ ଓ ସାମାଜିକ ସମ୍ପର୍କିୟ ସ୍ୱୀକୃତି ନନେଇ ଏବଂ ଜମି ଅଧିଗ୍ରହଣ ନକରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜୋରଜବରଦସ୍ତ ପୋଲିସ ଲଗାଇ ଆତଙ୍କରାଜ ସୃଷ୍ଟି କରି ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯେଉଁ ହୀନ ପ୍ରୟାସ କରିଛନ୍ତି ତାହା ଆଦାନୀ ପ୍ରିତିର ଜ୍ୱଳନ୍ତ ପ୍ରମାଣ। ଖରସ୍ରୋତା ନଦୀର ବିଞ୍ଝାରପୁର ଠାରୁ ଆଳି ରାଜକନିକା ମଧ୍ୟରେ ଆହୁରି ୫ଟି ପ୍ରକଳ୍ପ ହେଉଅଛି। ପୂର୍ବରୁ ନିର୍ମିତ ଆଳି ବ୍ଲକର ଅରଗଳ ଓ ରାଜକନିକା ବ୍ଲକର ଦେଉଳତୋରା ଠାରେ ପାର୍ବତୀଗିରୀ ମେଗା ଉଠାଜଳ ସେଚନ ପ୍ରକଳ୍ପ ପାଣି ଅଭାବରୁ ଅଚଳ ହୋଇପଡିଛି। ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ମଧ୍ୟ ଏହା ଥରଟିଏ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। ଖରସ୍ରୋତା ନଦୀ ଆଳି, ରାଜକନିକା, ବିଞ୍ଝାରପୁର, ବରୀ ଓ ପଟ୍ଟାମୁଣ୍ଡାଇ ବ୍ଲକର ଜୀବନରେଖା ଅଟେ। ଏହି ନଦୀର ବନ୍ୟା ତାଣ୍ଡବରେ ପୁରୁଷ ପୁରୁଷ ଧରି ଜନବସତି ସର୍ବସ୍ୱ ହରାଇଛି। ବହୁ ସମୟରେ ନଦୀ ଜଳ ଲୁଣା ହୋଇଯିବା ପରେ ଚାଷୀକୂଳ ହତାସ ହୋଇଛନ୍ତି। ଆଜିର ଦିନରେ ନଦୀ ହେଉଛି ସଂପୂର୍ଣ୍ଣ ଶୁଖିଲା। ଯେତିକି ପାଣି ସମୁଦ୍ରକୁ ବୋହି ଯାଉଛି ଫଳରେ ସମୁଦ୍ରର ଲୁଣା ପାଣିକୁ ହଠାଇବା ସହିତ ଭିତରକନିକା ଜୈବ ବିବିଦ୍ଧତା ପାଇଁ ମଧୁର ଏବଂ ଲୁଣାପାଣିର ଆବଶ୍ୟକତା ପୁରଣ କରୁଛି। ଖରସ୍ରୋତାର ସବୁ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ନଦୀର ଜଳ ସ୍ରୋତ କମିବା ସହିତ ଭୂତଳ ଜଳସ୍ତର ହ୍ରାସ ପାଇବ। ସମୁଦ୍ରରୁ ଲୁଣା ପାଣି ମାଡି ଆସିବା ସହ ନଳକୂପରୁ ଲୁଣା ପାଣି ବାହାରିବ। କୃଷି ଅର୍ଥନୀତି ଭୁଷୁଡି ପଡିବା ସହିତ ସଂପୂର୍ଣ୍ଣ ଅଞ୍ଚଳ ଲବଣାକ୍ତ ହୋଇଯିବ। ରାଜ୍ୟର ଜଳସଙ୍କଟ ଜିଲ୍ଲା ଭାବରେ କେନ୍ଦ୍ରାପଡା ଏକମାତ୍ର ଜିଲ୍ଲା। ରାଇପେରିୟାନ ଆଇନ ଅନୁଯାଇ ନଦୀ ଜଳ ଉପରେ ନଦୀ ଅବବାହୀକାର ଅଧିବାସୀମାନଙ୍କ ପ୍ରଥମ ହକ ରହିଛି। ତେଣୁ ଏହି ଅନ୍ୟାୟ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଏବଂ ଖରସ୍ରୋତାର ତଳ ମୁଣ୍ଡରେ ଏକ ମଧ୍ୟସ୍ରୋତୀୟ ବ୍ୟାରେଜ ପ୍ରତିଷ୍ଠା କରିବା ଦାବିରେ ଆଜି ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ସଭାପତିତ୍ୱରେ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ଦୋଳଗୋବିନ୍ଦ ନାୟକ, ସମ୍ପାଦକ ବିଧାନ ଦାସ, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଏସୟୁସିଆଇ ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, ନବ ନିର୍ମାଣ କୃଷକ ସଂଗଠନ ଜିଲ୍ଲା ନେତା ଦୋଳଗୋବିନ୍ଦ ସାହୁ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ଏଆଇଟିୟୁସି ଜିଲ୍ଲା ସଭାପତି ବାବାଜୀ ଧଳ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ସିପିଆଇଏମଏଲ ନେତ୍ରୀ ସବିତା ବରଜ, ସିପିଆଇ(ଏମ) ନେତା କାଳିପ୍ରସାଦ ନାୟକ, ଗଙ୍ଗାଧର ମଲିକ, ସିପିଆଇ ନେତା ଆଦିକନ୍ଦ ରାଉଳ, ବିଜେପି ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ବ୍ରଜ ସୁନ୍ଦର ଭୂୟାଁ, ଏସୟୁସିଆଇ ନେତା ବିଭୁତି ନାୟକ, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, କଂଗ୍ରେସ ନେତା ବାବୁରାମ ଜେନା, ମଙ୍ଗୁଳି ବେହେରା, ଫକିର ଚରଣ ଖଟୁଆ, ପ୍ରଦୀପ ପଣ୍ଡା, ହଳଧର ମଲିକ, ଶରତ ମହାନ୍ତି, କ୍ଷୀରୋଦ ବେହେରା, ମୂରଲୀଧର ବେହେରା, ଗୋଲଖ ବିଶ୍ୱାଳ, ଅନୁସୂୟା ମହାନ୍ତି, ରଙ୍ଗଲତା ମହାନ୍ତି, ସିପିଏମ ନେତା ଦାମୋଦର ଧଳ, ମାଧବ ଦାସ, ନୃସିଂହ ତରାଇ, ସୀତା ଦାସ, ବିଜୟ ପଲାଇ, କୈଳାସ ମଲିକ, ବିଶ୍ୱନାଥ ନାୟକ, ସୁହାନା ବେଗମ, ସୁଭାସିନୀ ଭଦ୍ର, ବିକାଶ ବେଉରା, ସୀତାକାନ୍ତ ନାୟକ, ଅମୀୟ ନାୟକ, ଦାଶରଥୀ ସାହୁ, ସମ୍ବିତ ଶ୍ରୀଚନ୍ଦନ, ମୀର ମୁର୍ଶିଦ, ମହେନ୍ଦ୍ର ପରିଡା, ବିଜୟ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ନେତୃତ୍ୱ ନେଇଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା ଧାରଣାସ୍ଥଳକୁ ଆସି ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ର ଗ୍ରହଣ କରିଥିଲେ। ଶେଷରେ ପ୍ରକଳ୍ପ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।