Odiapua.com

ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆହାର କେନ୍ଦ୍ର ସ୍ଥାପନ ପାଇଁ ଦାବିକଲେ ପୂର୍ବତନ ବିଧାୟକ ନରେନ ପଲେଇ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଗେଲପୁର ଠାରେ ଅବସ୍ଥାପିତ ନୂତନ ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ଆହାର କେନ୍ଦ୍ର ସ୍ଥାପନ କରିବା ନେଇ ଆଜି ପୂର୍ବତନ ବିଧାୟକ ନରେନ ପଲେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ତେବେ ଜିଲାପାଳଙ୍କ ଅନୁପସ୍ଥିତିରେ ସେ ଅତିରିକ୍ତ ଜିଲାପାଳ ସରୋଜ ଦତଙ୍କୁ ଦେଇଥିବା ପତ୍ର ଅନୁସାରେ ଗତ ୨୦୨୫ ମସିହା ଅଗଷ୍ଟ ମାସ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟଟି ନୂଆ ବଜାର ଠାରୁ ସ୍ଥାନାନ୍ତର ହୋଇ ଗେଲପୁର ଠାରେ ସ୍ଥାପନ କରାଯାଇ ରୋଗୀ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ତେବେ ଏହି ଚିକିତ୍ସାଳୟ ନିକଟରେ ଯେଉଁ କେତେକ ଉଠା ଦୋକାନୀ ଅସ୍ଥାୟୀ ଭାବେ ଜଳଖିଆ ଓ ହୋଟେଲ କରି ବାହାରୁ ଆସୁଥିବା ରୋଗୀଙ୍କ ସଂପର୍କୀୟଙ୍କୁ ଖାଦ୍ୟ ଯୋଗାଉଥିଲେ, ତାହାକୁ ଜିଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଫଳରେ କେବଳ ଏହି ଜିଲାରେ ନୁହେଁ ପଡୋଶୀ ଯାଜପୁର, ବାଲେଶ୍ୱର, କେନ୍ଦୁଝର ଭଳି ଅଂଚଳରୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ଖାଦ୍ୟ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଚିକିତ୍ସାଳୟ ଠାରୁ ଭଦ୍ରକ ସହରର ଦୂରତା ପ୍ରାୟ ୨ କିମି। ଏଣୁ ଚିକିତ୍ସାଳୟ ପରିସରରେ କିମ୍ବା ପାଶ୍ୱର୍ବର୍ତୀ ଅଂଚଳରେ ଏକ ଆହାର କେନ୍ଦ୍ର ସ୍ଥାପନ କରାଗଲେ, ରୋଗୀମାନଙ୍କ ସହ ଆସୁଥିବା ଲୋକେ ଖାଦ୍ୟର ସୁବିଧା ପାଇପାରନ୍ତେ ବୋଲି ସେ ଅନୁରୋଧ କରିଛନ୍ତି।