Odiapua.com

ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଦାବିପତ୍ର

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ନାଗରିକ ମହାସଂଘର ଏକ ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିିତ୍ସାଳୟର ବିଭିନ୍ନ ସମସ୍ୟାକୁ ନେଇ ଭଦ୍ରକ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠମାନଙ୍କ ପାଇଁ ହୃଦରୋଗ, ସ୍ନାୟୁରୋଗ ବିଭାଗ ଖୋଲିବା, ଗେଲପୁର ଠାରେ ନୂଆ ମୁଖ୍ୟ ଚିକିତ୍ସାଳୟକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ବର୍ତ୍ତମାନର ମୁଖ୍ୟ ଚିକିତ୍ସାଳୟରୁ ସେଠାକୁ ଶିଶୁ ଓ ପ୍ରସୂତି ମା’ ମାନଙ୍କୁ ସ୍ଥାନାନ୍ତର କରିବାର ସୁବ୍ୟବସ୍ଥା କରିବା ପାଇଁ ଦାବି ରଖିଛନ୍ତି । ସେହିପରି ଗେଲପୁର ଠାରେ ନୂତନ ମେଡିକାଲକୁ ଯାଇଥିବା ରାସ୍ତାର ଉନ୍ନତିକରଣ, ଆଲୋକ ବ୍ୟବସ୍ଥା ଓ ମେଡିକାଲ ଭିତରେ ପାନୀୟ ଜଳ ଓ ଆଟେଣ୍ଡାଣ୍ଟମାନଙ୍କ ରହଣି ବ୍ୟବସ୍ଥା କରିବା ପାଇଁ ଜିଲା ପରିଷଦ ସଭାପତି ତଥା ସ୍ୱାସ୍ଥ୍ୟ କଲ୍ୟାଣ ସମିତି ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦାବିପତ୍ର ଦେବା ସମୟରେ ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଅଜୟ ନାୟକ, ରାଧାରାଣୀ ମହାପାତ୍ର, ବିଚିତ୍ରାନନ୍ଦ ମହାନ୍ତି, ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ହୃଦରୋଗ ଓ ସ୍ନାୟୁରୋଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ କରିଥିଲେ ।