Odiapua.com

ଜିଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳିତ , କୋବିଡ଼କୁ ମୁକାବିଲା କରିବାରେ ଜିଲା ପ୍ରଶାସନର ଭୂମିକା ପ୍ରଶଂସନୀୟ

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ସଂସ୍କୃତି ଭବନରେ କୋବିଡ଼ କଟକଣା ମଧ୍ୟରେ ପବିତ୍ର ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗ ଦେଇ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମାନବ ସମାଜ ମହାମାରୀ କରୋନା ସହ ଲଢେଇ ଜାରି ରଖିଛି । ଏହା କୌଣସି ରାଜ୍ୟର ସୀମା ପାଇଁ ଲଢେଇ ନୁହେଁ । ଜୀବନ ଧାରଣ ପାଇଁ ଆମେ ସମସ୍ତେ ସରକାରଙ୍କ ଗାଇଡ଼ ଲାଇନକୁ ପାଳନ କଲେ କରୋନାକୁ ମୁକାବିଲା କରି ପାରିବା । ଜିଲାର ସମସ୍ତ ଅଧିକାରୀ, କର୍ମଚାରୀମାନେ କରୋନା ଯୋଦ୍ଧା ଭାବେ ଜୀବନକୁ ତୁଚ୍ଛ କରି ନିଜ ନିଜର କର୍ତ୍ତବ୍ୟ ନିର୍ବାହ କରି ଚାଲିଛନ୍ତି । ସେମାନେ ସମସ୍ତେ ପ୍ରଶଂସାର ପାତ୍ର ବୋଲି ଅତିଥିମାନେ କହିଥିଲେ । ଏହା ସହିତ ଆମ ରାଜ୍ୟ ୮୬ ବର୍ଷ ପୂର୍ବେ ଆଜିର ଦିନରେ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ଆମ ପାଇଁ ଗର୍ବର ବିଷୟ । କୌଣସି ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳଦେବ, କୃଷ୍ଣଚନ୍ଦ୍ର ଗଜପତି ପ୍ରମୁଖଙ୍କ ଆପ୍ରାଣ ଚେଷ୍ଟା ପାଇଁ ସେତେବେଳେ ଓଡ଼ିଶା ୬ଟି ଜିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ସୃଷ୍ଟି ହୋଇଥିଲା ।

ପରେ ଏହା ୩୦ଟି ଜିଲାକୁ ୧୯୯୨ ମସିହାରେ ବୃଦ୍ଧି ପାଇଛି । ଭଦ୍ରକ ମଧ୍ୟ ଏକ ଜିଲା ହୋଇଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ଅରୁଣ କୁମାର ମହାପାତ୍ର ଓ ଇନ୍ଦ୍ରମଣି ନାୟକ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ସଂଯୋଜନା ଏବଂ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା, ଜିଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ ସହଯୋଗ କରିଥିଲେ । ଉତ୍ସବ ପୂର୍ବରୁ ଜିଲାପାଳ ଡ. ଦାସ, ପିଡି ଶ୍ର୍ରୀ ଦାସ, ଅତିରିକ୍ତ ଜିଲ୍ଳପାଳ ଶ୍ରୀ ମହାପାତ୍ର ଓ ଶ୍ରୀ ନାୟକ, ଜିଲା ସୂଚନା ଅଧିକାରୀ ଶ୍ରୀ ବେହେରା ପ୍ରମୁଖ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ଡ. ହରେକୃଷ୍ଣ ମହତାବ, ପଣ୍ଡିତ ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାତ୍ମା ଗାନ୍ଧୀ, ସୁବାସ ବୋଷ ପ୍ରମୁଖଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଶେଷରେ ଅତିରିକ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।