Odiapua.com

ଜିଲା ପ୍ରଶାସନର ଦୋମୁହାଁ ନୀତି ଅଭିଯୋଗ, ଚାଷୀଙ୍କୁ ସହାୟତାରୁ ବଞ୍ଚିତ କରିବା ଲାଗି ଜିଲା ପ୍ରଶାସନର ଏକ ଚାଲ୍‍

ବଲାଙ୍ଗୀର, ତା୨୯-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲୁଇସିଙ୍ଗା ରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ସହାୟତା ମିଳିବା ଜାଣି ଚାଷୀ ଖୁସି ହୋଇଥିଲେ। ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗାଁମାନଙ୍କରେ ଏକ ନୋଟିସ ଜାରି ହେବା ପରେ ଏବେ ଚାଷୀଙ୍କ ଉତ୍ସାହ ପାଣିଚିଆ ହୋଇଯାଇଛି। ଚାଷୀଙ୍କୁ ସହାୟତାରୁ ବଞ୍ଚିତ ଉଦ୍ଦେଶ୍ୟରେ ବୀମା କମ୍ପାନୀ ଓ ଜିଲା ପ୍ରଶାସନର ମଧୁ ଚନ୍ଦ୍ରିକାରେ ଏପରି ନୋଟିସକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୀମା ବେଳେ ଦିଆଯାଇଥିବା ସତ୍ୟ ପାଠ ବଳରେ ସହାୟତା ଦେବାକୁ ତହସିଲଦାର ଙ୍କୁ ମଙ୍ଗଳବାର ଅନୁରୋଧ କରାଯାଇଛି। ନଚେତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଅଭିଯୋଗ ଅନୁସାରେ, ଲୋଇସିଂହା ବ୍ଲକର ଚାଷୀମାନେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ସେତେବଳେ ରୟାଲ ସୁନ୍ଦରମ ବୀମା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଚାଷୀମାନେ ଖତିୟାନ କପି, ପ୍ଲଟ ନମ୍ବର, ସତ୍ୟପାଠ (ବ୍ୟକ୍ତିଗତ ଘୋଷଣା ନାମା), ଆଧାରକାର୍ଡ, ବ୍ୟାଙ୍କ ପାସ ବହି କପି ଇତ୍ୟାଦି ଦେଇ ଅନଲାଇନ ଜରିଆରେ ବୀମା ଟଙ୍କା ପୈଠ କରିଥିଲେ। ପଞ୍ଚାୟତ ଅନୁସାରେ ହୋଇଥିବା କ୍ଷତି ହିସାବରେ ଏବେ ଚାଷୀଙ୍କୁ ସହାୟତା ଦିଆଯିବା କଥା। ହେଲେ ସହାୟତା ରାଶି ବଣ୍ଟନ ପୂର୍ବରୁ ତହସିଲ ପକ୍ଷରୁ ଗତ ୧୪ ତାରିଖରେ ଯେଉଁ ଖତିୟାନ ପ୍ଲଟ ଗୁଡିକରେ ପରିବାରର ଏକାଧିକ ସଦସ୍ୟଙ୍କ ଦ୍ୱାରା ବୀମା କରାଯାଇଛି। ସେମାନେ ସହମତି ଭିତ୍ତିରେ ଭାଗ କରି ପୁର୍ନବାର ସତ୍ୟପାଠ କରି ପଞ୍ଚାୟତ ସ୍ତରୀୟ କମିଟିର ସଦସ୍ୟଙ୍କଠାରେ କପି ଦାଖଲ କରିବାକୁ କୁହାଯାଇଛି। ନଚେତ ସହାୟତା ପାଇବାରୁ ବଞ୍ଚିତ ହେବେ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଚାଷବାସ ସମୟ। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ମହାମାରୀ କରୋନା କଟକଣା ଜାରି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସଂକ୍ରାନ୍ତୀୟ ଅଭିଯୋଗ ଅନଲାଇନ ତଥ। ହ୍ୱାଟ୍‍ସଆପ୍‍ମାଧ୍ୟମରେ ଅଭିଯୋଗ କରିବାକୁ ଜିଲାପାଳ ଆହ୍ୱାନ ଦେଇଛନ୍ତି। ଏଭଳି ସମୟରେ ଚାଷୀମାନଙ୍କୁ ସତ୍ୟପାଠ କରି ଦାଖଲ କରିବା ପାଇଁ କୁହାଯିବା ଜିଲା ପ୍ରଶାସନର ଦୋମୁହାଁ ନୀତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସହାୟତାରୁ ବଞ୍ଚିତ ଓ ହଇରାଣ ହରକତ ଉଦ୍ଦେଶ୍ୟରେ ଜିଲା ପ୍ରଶାସନର ଏକ ଚାଲ ବୋଲି ରେଙ୍ଗାଲି ସମିତିସଭ୍ୟ ବ୍ୟାସଦେବ ଥନାପତି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।