ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ୍ ଗୋଚାଲାଣ, ନକଲି ଜର୍ଦ୍ଦା ଓ ଦେଶୀ-ବିଦେଶୀ ମଦ କାରବାର ସହ ଧଳା ଜହରର ଜିଲା ପାଲଟିଛି ଏବେ ଭଦ୍ରକ । ପୁଲିସ୍ ପ୍ରଶାସନର ଢିଲାପଣିଆ ଜନିତ ଆଇନ୍ ଶୃଙ୍ଖଳା ପରିସ୍ଥିତିର କୋହଳ ନୀତି ଯୋଗୁଁ ଏହି ଜିଲାରେ ଧାମରା-ଭଦ୍ରକ ରେଳପଥରେ କୋଇଲା ମାଫିଆଙ୍କ ଦାଦାଗିରି ସହ ଭଦ୍ରକ ସଦର ମହକୁମାରେ ନକଲି ଜର୍ଦ୍ଦା, ଦେଶୀ-ବିଦେଶୀ ମଦ ସହ ଗୋ-ଚାଲାଣ ରାକେଟ୍ ଏବେ ସକ୍ରୀୟ ହୋଇପଡିଛନ୍ତି । ଯେଉଁମାନଙ୍କ ସହ କେତେକ ଅସାଧୁ ପୁଲିସ୍ ଅଧିକାରୀଙ୍କ ପ୍ରଛନ୍ନ ହାତ ରହିଛି । ଖଜୁରୀ ଗଛ ମୂଳରୁ ପାହାଚ ପାହାଚ ଭଳି ଏହି ବିଭାଗର ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ କେତେକ ଅସାଧୁ ଅଧିକାରୀଙ୍କ ସହ ଉପରୋକ୍ତ ମାଫିଆମାନଙ୍କ ମଧୁଚନ୍ଦ୍ରିକା ଏହି କାରବାରକୁ ରୋକିବା ପରିବର୍ତ୍ତେ ବୃଦ୍ଧି କରିବାରେ ଲାଗିଛି । ଯାହାର ସଦ୍ୟତମ ଉଦାହରଣ ନିକଟରେ ରାଜ୍ୟର ଏସ୍ଟିଏଫ୍ ଟିମ୍ ସହ କଟକସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢାଉ । ବିଗତ କେଇମାସ ମଧ୍ୟରେ ଏହି ଜିଲାର କେଜି କେଜି ଓଜନର ଧଳା ଜହର ଜବତ କରି ଏସ୍ଟିଏଫ୍ ଟିମ୍ ଜିଲା ପୁଲିସ୍ର ନାକତଳ ନିଶ ଖସାଇଦେବା ଭଳି ଅପମାନ ଜନକ ପରିସ୍ଥିତି ଉପୁଜାଇଥିବାବେଳେ ପୁନର୍ବାର କେନ୍ଦ୍ରୀୟ ଅବକାରୀ ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ମହରମପୁର ପଂଚାୟତର ତରାଶୁଣୀ ଗ୍ରାମର କୈଳାସ ମଳିକ ନାମକ ଜଣେ ଯୁବକ ଠାରୁ ୨୩୦ ଗ୍ରାମର ବ୍ରାଉନସୁଗାର ଜବତ କରି ତାକୁ କଟକ ଉଠାଇନେଇଛନ୍ତି । ଯାହାର ସୁରାଗ ନା ସ୍ଥାନୀୟ ପୁଲିସ୍ ନା ଅବକାରୀ ବିଭାଗ କେହି ବି ପାଇନଥିଲେ । ଏହି ବ୍ରାଉନ୍ସୁଗାର ଘଟଣାର ତଦନ୍ତ କାଳରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଣି ଥରେ ଯୁବକ ଜଣଙ୍କୁ ତାର ଗ୍ରାମକୁ ଆଣି ତଦନ୍ତ କରି ଫେରିଯିବାବେଳେ ଏହି ଘଟଣାକୁ ଚର୍ଚ୍ଚାକୁ ଆସିଛି । ଏହି ଘଟଣାରୁ ଜିଲା ପୁଲିସ୍ ପ୍ରଶାସନ ଏହି ଧଳା ଜହର ରାକେଟକୁ ରୋକିବାରେ କେତେଯେ ତତ୍ପର, ତାହା ପ୍ରମାଣିତ ହୋଇଛି । ଏହି ଘଟଣା ସଂପର୍କରେ ଏହି ପ୍ରତିନିଧି ଅବକାରୀ ବିଭାଗର ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବାରେ ସେମାନେ ଏହି ଘଟଣାର ସତ୍ୟତା ସ୍ୱୀକାର କରୁଥିଲେ ମଧ୍ୟ ସବିଶେଷ ତଥ୍ୟ ଦେଇପାରିନାହାଁନ୍ତି ।