ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲା ଦକ୍ଷତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ଗଠିତ ହୋଇଥିବା ଦକ୍ଷତା କମିଟିର ଆଭିମୁଖ୍ୟ ଏବଂ କାର୍ଯ୍ୟଧାରା ସଂପର୍କରେ ଆଲୋଚନା ହୋଇଥିଲା । କମିଟିର ସଦସ୍ୟମାନେ ଜିଲାର ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ନୀତି କିଭଳି କାର୍ଯ୍ୟକାରୀ କରାଇବେ, ଏବଂ ନିଜ ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ, ସେ ସଂପର୍କରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲାର ଯୁବକ-ଯୁବତୀମାନଙ୍କର ଯେଉଁସବୁ କ୍ଷେତ୍ରରେ ଦକ୍ଷତାର ଅଭାବ ରହିଛି, ଏବଂ ସେସବୁର କିଭଳି ଭାବରେ ବିକାଶ ହୋଇପାରିବ, ଜିଲାପାଳ ତାହା ଉପରେ ଆଲୋକପାତ କରିଥିଲେ । ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡିକ କିଭଳି ଭାବେ ସୂଚାରୁ ରୂପେ ସଂପାଦନ ହେବ, ସେ ନେଇ ଆଲୋଚନା କରାଯାଇଥିଲା । ଜିଲା ଦକ୍ଷତା ବିକାଶ ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ କିଭଳି ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯାଇପାରିବ, ତାହା ଉପରେ ବିବରଣୀ ରଖାଯାଇଥିଲା । ଜିଲା ଦକ୍ଷତା ବିକାଶ ଯୋଜନାକୁ ଭଲଭାବେ ତ୍ୱରାନ୍ୱିତ କରିବା ପାଇଁ ଜିଲା ଦକ୍ଷତା ଉପକମିଟି ବୈଠକ ଚଳିତ ଡିସେମ୍ବର ମାସରେ କରାଇବା ପାଇଁ ଜିଲାପାଳ ଡ. ଦାସ ଜିଲା କର୍ମ ନିୟୋଜନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଏବଂ ଜିଲାର ଅନ୍ୟ ବରିଷ୍ଠ ଅଧିକାରୀ, ଜିଲା ଶିଳ୍ପାୟନ ସଂସ୍ଥାର ପ୍ରତିନିଧି ଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ରାଜ୍ୟ ଏପ୍ରେନ୍ଟାଇସିପ୍ ରିପ୍ରେଜେଣ୍ଟିଭ୍, ଡିଟିଏନ୍ଟି ଅଂଶଗ୍ରହଣ କରି ଜିଲାର ଯାନ୍ତ୍ରିକ ବିଦ୍ୟାରେ ତାଲିମ ନେଇ ଶିକ୍ଷାର୍ଥୀମାନଙ୍କୁ ତାଲିମ୍ ଦେବା ପରେ ଏପ୍ରେନ୍ଟାଇସିପ୍ କିଭଳି ଉଚିତ୍ କାର୍ଯ୍ୟରେ ନିୟୋଜନ କରିହେବ, ସେ ବିଷୟରେ ସେମାନେ ଅବଗତ କରାଇଥିଲେ । ଜିଲା କର୍ମ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ଦକ୍ଷତା ବିକାଶର ଅଭିବୃଦ୍ଧି ପାଇଁ ଜିଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଆଗାମୀ ଯୋଜନା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।