ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ପୁଃନର୍ବାସ ଓ ଅନୁସନ୍ଧାନ କେନ୍ଦ୍ର (ସିଆରଏସ୍ଆର) ପରିସରରେ ମାନସିକ ରୋଗୀ ଓ ମାନସିକ ଅନଗ୍ରସର ତଥା ମାନସିକ ପ୍ରତିବଦ୍ଧକତା ସମ୍ବନ୍ଧରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଭଦ୍ରକ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱ ମାନସିକ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ପୂଣ୍ୟଶ୍ଲୋକ ରଥଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ଏକ ଆଇନ୍ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ସି.ଆର.ଏସ୍.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼. ଭଗବାନ ପରିଡ଼ା, ଅଧ୍ୟକ୍ଷ ଡ଼. ଅରୁଣ ଲେଙ୍କା, ଏଲ.ଏ.ସି. ପ୍ରତିପକ୍ଷ ଅଧିବକ୍ତା ଡ଼. ତାପସ କୁମାର ମହାନ୍ତି ଓ ବି.ଆର.ଏସ୍.ଆର. ର ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ ଅନ୍ୟ ବିଭାଗୀୟ ଡ଼ାକ୍ତର ଉପସ୍ଥିତ ରହି ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ ପରିପ୍ରେକ୍ଷୀରେ ମାନସିକ ରୋଗୀ ଓ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ଉର୍ଦ୍ଦିଷ୍ଟ ଆଇନଗତ ଅଧିକାର ଓ ଅଭିଭାବକମାନେ କିପରି ଏହି ବିଷୟରେ ଅବଗତ ଓ ଉପକୃତ ହେବେ ତାହା ଭଦ୍ରକ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ ବୋଲି ଉଚିତ୍ ପରାମର୍ଶ ବିଶେଷକରି ସଚିବ ପୂଣ୍ୟଶ୍ଲୋକ ରଥ ମହୋଦୟ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରାୟ ୧୫ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଉପକରଣ ଯଥା ଟ୍ରାଇସାଇକେଲ (ବ୍ୟାଟେରୀ ଚାଳିତ), ହୁଇଲଚେୟାର, କୃତ୍ରୀମ ଅଙ୍ଗ, ଆଶାବାଡ଼ି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଶେଷରେ ଡ଼. ଭଗବାନ ପରିଡ଼ା, ସି.ଆର.ଏସ୍.ଆର.ର ମାନସିକ ରୋଗୀ ତଥା ମାନସିକ ପ୍ରତିବନ୍ଧକତା ଉପରେ ବିଶେଷ ଟିପଣୀ ଓ ଅଭିଭାବକଙ୍କର ଭୂମିକା ତଥା ନିଜର ଅଭିଜ୍ଞତା ବ୍ୟାଖା କରିଥିଲେ ଓ ଜିଲ୍ଳା ଆଇନସେବା ପ୍ରାଧିକରଣର ଭୂମିକା ଓ ସମସ୍ତ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।