Odiapua.com

ଜିଲାସ୍ତରୀୟ ୫୦ତମ ସଡକ ସୁରକ୍ଷା ସମିତି ବୈଠକ,୫ ମାସରେ ୧୧୧ ସଡକ ଦୁର୍ଘଟଣାରେ ୫୪ ଜଣଙ୍କ ପ୍ରାଣହାନି

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲାପାଳ ଡଃ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଜିଲାସ୍ତରୀୟ ୫୦ତମ ସଡକ ସୁରକ୍ଷା ସମିତି ବୈଠକ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଆରଟିଓ ଶୁଭେନ୍ଦୁ କୁମାର ରାୟ, ଏନଏଚ ପିଡି ଦର୍ସି ପ୍ରକାଶ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ପୂର୍ତ ବିଭାଗ ଏସଇଙ୍କ ସହ କମିଟିର ସଦସ୍ୟ ଅତିଶ କୁମାର ବେହେରା, ରବି ଖିଲାର, ବସ୍ ସିଣ୍ଡିକେଟ୍‌ର ସଭାପତି ଶ୍ରୀନିବାସ ପତି ଓ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟତଃ ଭଦ୍ରକ ସହରର ଦୁଇ ଉପକଣ୍ଠ ଅଂଚଳରେ ସହର ମଧ୍ୟକୁ ପ୍ରବେଶ କରୁଥିବା ସର୍ଭିସ୍ ରୋଡ୍‌ରେ ଯାତ୍ରୀବାହୀ ବସ୍ ଓ ଭାରିଯାନ ଗୁଡିକର ଯାତାୟତରେ ସୃଷ୍ଟ ଟ୍ରାଫିକ୍ ନିୟନ୍ତ୍ରଣକୁ କିପରି ରୋକାଯିବ, ଏ ନେଇ ଆଲୋଚନା ହୋଇଥିଲା। ଗେଲପୁରସ୍ଥିତ ନୂଆ ମେଡିକାଲଟିର ଜନସାଧାରଣଙ୍କ ଯାତାୟତକୁ କିପରି ବିପଦମୁକ୍ତ କରାଯିବ, ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ସେଠାରେ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ଅନ୍ୟପକ୍ଷରେ ଆଖୁଆପଦା ଠାରୁ ଭଦ୍ରକ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଲଗାଯାଇଥିବା ୨୪ ଶହ ଲାଇଟ୍ ମଧ୍ୟରୁ ଅଚଳ ଥିବା ୩୧୧ ଟିକୁ ତୁରନ୍ତ ସଚଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷର ୫ ମାସ ମଧ୍ୟରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି। ଚଳିତବର୍ଷ ଜାନୁଆରୀରୁ ମଇ ମାସ ମଧ୍ୟରେ ୧୧ଟି ସଡକ ଦୁର୍ଘଟଣା ଘଟି ୫୪ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୨୦୨୫ ରେ ଏହି ମାସ ମଧ୍ୟରେ ୧୩୭ ଟି ଦୁର୍ଘଟଣା ଘଟିଥିବାବେଳେ ୭୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଚଳିତବର୍ଷ ୨୦୨୬-୨୭ ମସିହାରେ ଭଦ୍ରକ ସଡକ ପରିବହନ କର୍ତୃପକ୍ଷଙ୍କ ତରଫରୁ ହୋଇଥିବା ଚଢାଉ କାର୍ଯ୍ୟକ୍ରମରେ ୩୫୦ ଟି ଅମାନିଆ ଗାଡି ଚାଳକଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଥିବାବେଳେ ୧୩୯ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଜରିମାନା ବାବଦରେ ୪୩ ଲକ୍ଷ ୮୯ ହଜାର ୨୫୫ ଟଙ୍କା ଆଦାୟ କରାଯାଇଛି। ହେଲମେଟ୍ ବ୍ୟବହାର କରୁନଥିବା ୧୨୩୬ ଜଣ ବାଇକ୍ ଚାଳକଙ୍କ ମଧ୍ୟରୁ ୭୩ ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇ ଜରିମାନା ବାବଦରେ ୮୬ ହଜାର ଟଙ୍କା, ଦ୍ରୁତଗତିରେ ଚାଳନା କରୁଥିବା ୧୬୭୯ ଙ୍କ ମଧ୍ୟରୁ ୩୧ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇ ୨ ଲକ୍ଷ ୭୮ ହଜାର ଜରିମାନା ଆଦାୟ କରାଯାଇଛି। ଗାଡି ଚାଳନା ସମୟରେ ମୋବାଇଲ୍ ବ୍ୟବହାର କରିଥିବା ୧୧୧ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ମାଲ ବୁହା ଗାଡିରେ ଯାତ୍ରୀ ପରିବହନ କରୁଥିବା ୨୧ ଜଣଙ୍କ ବିରୁଦ୍ଧରେ ଚାଲାଣ କଟାଯାଇ ୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇ ୩୦ ହଜାର ଟଙ୍କା ଜରିମାନା, ଓଭରଲୋଡିଂ ବାବଦରେ ୭ଟି ଚାଲାଣ କଟାଯାଇ ୪ ଜଣ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇ ୫୦ ହଜାର ୯୬୦ ଜରିମାନା ଆଦାୟ କରାଯାଇଛି। ତ୍ରିପୁଲ ରାଇଡିଂ ବାବଦରେ ୬୯ ଜଣଙ୍କର ଚାଲାଣ କଟାଯାଇ ୨ ହଜାର ଟଙ୍କା, ସିଟ୍ ବେଲ୍ଟ ନଥାଇ ଡ୍ରାଇଭିଂ କରୁଥିବା ୩୮ ଜଣଙ୍କ ବିରୁଦ୍ଧରେ ଚାଲାଣ କଟାଯାଇ ୬ ହଜାର ଟଙ୍କା ଏବଂ ସଡକ ପାଶ୍ୱର୍ରେ ବେଆଇନ୍ ଭାବେ ପାର୍କିଂ କରୁଥିବା ୩୮ ଟି ଚାଲାଣ କଟାଯାଇ ୧୫ ଶହ ଟଙ୍କା, ନାବାଳକ ଡ୍ରାଇଭିଂ କରୁଥିବା ବାବଦରେ ୫ଟି ଚାଲାଣ କଟାଯାଇ ୨୫ ହଜାର ଟଙ୍କା ଓ ଅନ୍ୟାନ୍ୟ ମାମଲାରେ ୩୮ ଲକ୍ଷ ୫୪ ହଜାର ୭୯୫ ଟଙ୍କା ଆଦାୟ କରାଯାଇଛି।