Odiapua.com

ଜିଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୦ ପାଳିତ, ସ୍ୱାଧୀନତା ସଂଗ୍ରାମରେ ବୀରଭୂମୀ ନୟାଗଡ଼ର ଇତିହାସ ଅବର୍ଣ୍ଣନୀୟ-ରାଜସ୍ୱ ମନ୍ତ୍ରୀ

ନୟାଗଡ଼, ୧୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ପୋଲିସ ଟ୍ରେନିଂ ସ୍କୁଲ ଠାରେ ୭୪ତମ ସ୍ୱାଧୀନତା ଦିବସ କୋଭିଡ-୧୯ କଟକଣା ଭିତରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟ ରାଜସ୍ୱ, ବିପର୍ଯ୍ୟୟ ଓ ପ୍ରଶମନ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ମନ୍ତ୍ରୀ ଶ୍ରୀ ମାରାଣ୍ଡି ନୟାଗଡ଼ର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇବା ସଂଗେ ସଂଗେ ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ର ଇତିହାସ ଅବର୍ଣ୍ଣନୀୟ ବୋଲି କହିବା ସହିତ ବୀରଭୂମି ନୟାଗଡ଼ର ଅବଦାନକୁ ଭୁଲିବାର ନୁହେଁ ବୋଲି କହିଥିଲେ। ସେ ନୟାଗଡ଼ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରଗୌରବ ଗାଥା ଉପରେ ଆଲୋକପାତ କରି କହିଥିଲେଯେ ପଠାଣୀ ସାମନ୍ତଙ୍କ ଠାରୁ ଆରମ୍ଭ କରି ଯଦୁମଣି, ଉପେନ୍ଦ୍ର ଭଞ୍ଜ, ରଘୁ ଦିବାକର, କଷ୍ଠି ଡାକୁଆ ଆଦି ମହାପୁରୁଷ ଏମାଟି ତଥା ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ପାଲଟିଯାଇଛନ୍ତି ା ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଦିଗରେ ବିକାଶର ଧାରା ଆଗେଇ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ରାଜ୍ୟ ଅର୍ଥନୀତିର ବିକାଶ ଘଟିବା ସହିତ ରାଜ୍ୟ ସବୁକ୍ଷେତ୍ରରେ ଉନ୍ନତି ସାଧନ କରିପାରିଛି ବୋଲି କହିଥିଲେ। କରୋନା ମୁକାବଲା କରିବାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଗ୍ରହଣର ବିଭିନ୍ନ ଦିଗ ଉପରେ କହିବା ସହ ଗୋଟିଏ ପରେ ଗୋଟିଏ ଲୋକାଭିମୂଖୀ ଯୋଜନା ତା’ର ଜ୍ୱଳନ୍ତ ଉଦାହରଣ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ପ୍ରତ୍ୟୁଷରୁ ରାମଧୂନ୍, ତ୍ରୀନାଥ ଛକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡ-ପୋମା ଟୁଡୁ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାଷ ଚନ୍ଦ୍ର ରାୟ, ଏସପି ପ୍ରତ୍ୟୁଷ ଦିବାକର, ଉପଜିଲାପାଳ ଲଗ୍ନଜିତ ରାଉତ, ବନଖଣ୍ଡ ଅଧିକାରୀ ଏଚ-ଡି-ଧନରାଜ ପଉକ୍ତ କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ-ପ୍ରମୋଦ କୁମାର ନାୟକ ସଂଯୋଜନା କରିଥିଲେ। ଏହି ପରିପ୍ରେକ୍ଷିରେ ମୁଖ୍ୟଅତିଥି ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ବୃକ୍ଷରୋପଣ କରିଥିଲେ।