ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତାରେ ବ୍ୟାଙ୍କ କର୍ତୃପକ୍ଷ ସହଯୋଗ କରୁନାହାଁନ୍ତି। ଫଳରେ ଯୋଜନା ଗୁଡିକ ଜିଲାରେ ସଫଳ ରୂପାୟନ ହୋଇପାରୁନାହିଁ। ହିତାଧିକାରୀମାନେ ଯୋଜନାର ସୁଫଳ ପାଇପାରୁନାହାଁନ୍ତି ବୋଲି ସାଂସଦ ଅଭିମନ୍ୟୁ ସେଠୀ ଜିଲାର ବାର୍ଷିକ ଋଣ ଯୋଜନା ବାବଦରେ ଡିସିସି ଓ ଡିଏଲସିସି କମିଟିର ବୈଠକରେ ଉଦ୍ବେଗ୍ ପ୍ରକାଶ କରିଛନ୍ତି। ଜିଲାରେ ଋଣ ପ୍ରଦାନ ବ୍ୟବସ୍ଥା ଅତ୍ୟନ୍ତ ନୈରାଶ୍ୟ ଜନକ। ହିତାଧିକାରୀମାନଙ୍କୁ ଋଣଦେବା କ୍ଷେତ୍ରରେ ପ୍ରାଇଭେଟ୍ ବ୍ୟାଙ୍କ ଏପରି ଷ୍ଟେଟ୍ ବ୍ୟାଙ୍କ ଗୁଡିକ ପଛଘୁଂଚା ଦେଉଛନ୍ତି। ହିତାଧିକାରୀମାନେ ବାରମ୍ବାର ବ୍ୟାଙ୍କକୁ ଦୌଡି ଦୌଡି ନିରାଶ ହେଉଥିବାର ତାଙ୍କ ନିକଟକୁ ଅଭିଯୋଗ ଆସୁଛି ବୋଲି ସେ କହିଥିଲେ। ଏଥିପ୍ରତି ସଚେତନ ରହିବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ସତର୍କ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ଲୋକାଭିମୁଖୀ ‘ସୂର୍ଯ୍ୟଘର’ ଯୋଜନା ଜିଲାରେ ବହୁ ପଛରେ ପଡିଥିବା ନେଇ ସାଂସଦ ଶ୍ରୀ ସେଠୀ ଅସନ୍ତୋଷ ପ୍ରକାଶ କରିଥିଲେ। ସଦ୍ଭାବନା ଗୃହରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଜିଲାସ୍ତରୀୟ ଡିସିସି ଓ ଡିଏଲସିସି ବୈଠକରେ ସାଂସଦ ଶ୍ରୀ ସେଠୀଙ୍କ ସହ ଜିଲାପାଳ ଡଃ ଦିଲୀପ ରାଉତରାଏ, ଆରବିଆଇ ଏଲ୍ଡିଓ ନବଘନ ରାଉତ, ଏଲ୍ଡିଏମ୍ ରାକେଶ କୁମାର ରଞ୍ଜନ, ଏଡିଏମ୍ ନାବାର୍ଡ ଦୀପକ କୁମାର ସାହୁ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରିଜିଓନ୍ୟାଲ ମ୍ୟାନେଜର ଓ ଅନ୍ୟାନ୍ୟ ବ୍ୟାଙ୍କ ଗୁଡିକର ଉଚ୍ଚକର୍ତୃପକ୍ଷଙ୍କ ସହ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ୨୦୨୫-୨୬ ରେ ଋଣ ପ୍ରଦାନ ବ୍ୟବସ୍ଥାରେ ବ୍ୟାଙ୍କର ଲକ୍ଷ୍ୟଧାର୍ଯ୍ୟ ଥିଲା ୬୪୩୭୪୦.୨୯ ଲକ୍ଷ। ଏଚିଭ୍ମେଂଟ ହୋଇଛି ୬୪୦୭୪୯.୧୨। ସଫଳତା ହାର ୯୯.୫ ଅଟେ। ଜିଲାର କୃଷି ଯୋଜନା ବାବଦରେ ଋଣଦେବା ବ୍ୟବସ୍ଥାରେ ଲକ୍ଷ୍ୟଧାର୍ଯ୍ୟ ଥିଲା ୩୩୪୬୩୦.୮୦ ଲକ୍ଷ। ଏଚିଭ୍ମେଂଟ ହୋଇଛି ୨୪୫୧୫୪ ଅଟେ। ସଫଳତା ହାର ୭୩.୨୬ ଅଟେ। ସେହିଭଳି ଏମ୍ଏସଏମଇ ଯୋଜନା ବାବଦରେ ଲକ୍ଷ୍ୟଧାର୍ଯ୍ୟ ଥିଲା ୨୦୦୮୫୦.୭୫ ଲକ୍ଷ। ଏଚିଭ୍ମେଂଟ ହୋଇଛି ୧୯୦୦୬୯.୪୦। ସଫଳତା ହାର ୯୪.୩୬ ଅଟେ। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନା ବାବଦରେ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ୭୬୩୦୩୫.୭୫। ଏହାମଧ୍ୟରୁ କୃଷି ବାବଦରେ ୩୯୨୪୦୫.୪୪ ଲକ୍ଷ ଓ ଏମଏସଏମଇ ବାବଦରେ ୨୫୬୨୨୦.୭୫ ଲକ୍ଷ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ରହିଛି।