Odiapua.com

ଜିଲାସ୍ତରୀୟ କ୍ଷୁଦ୍ର ନିଯୁକ୍ତିମେଳା

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ମହାବିଦ୍ୟାଳୟରେ ଜିଲା ପ୍ରଶାସନ ତଥା ଜିଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଏକ ଜିଲାସ୍ତରୀୟ କ୍ଷୁଦ୍ର ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବ୍ୟୋମକେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଉଦ୍‌ଘାଟନ କରିଥିଲେ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ନିଯୁକ୍ତି ଘରୋଇ ସଂସ୍ଥା ଯଥା ଉଷା ଇଣ୍ଟରନେସନାଲ, ଆଇଆଇଏଫଏଲ, ସମସ୍ତା, ଅନୁଦୀପ ଫାଉଣ୍ଡେସନ, ଏକ୍ସପାର୍ଟ ଗ୍ରୁପ୍ ସର୍ଭିସ୍‌, ଏଚ୍‌ସିଏଲ୍‌, ଏସ୍‌ଏନ, ଷ୍ଟାଫିଙ୍ଗ୍ ଏବଂ ପ୍ରଶିକ୍ଷଣ ଭିତ୍ତିକ ନିଯୁକ୍ତି ଘରୋଇ ସଂସ୍ଥା ସିଆଇପିଇଟି, ଜିଆଇଆଇଏସ୍ ଭଳି ବହୁ ସଂସ୍ଥା ଯୋଗଦେଇଥିଲେ। ଜିଲାର ସାଧାରଣ ଯୋଗ୍ୟତାଧାରୀ ଆଇଟିଆଇ, ଡିପ୍ଲୋମା ଓ ଇଂଜିନିୟରିଂ ଡିଗ୍ରୀଧାରୀ ଯୁବକ-ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଦିନିକିଆ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ତଥା ନିଯୁକ୍ତି କ୍ଷେତ୍ରର ଦକ୍ଷତାର ଗୁରୁତ୍ୱ ବିଷୟରେ ଆଲୋକପାତ କରାଯାଇଥିଲା। ଜିଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାସ ସରକାରଙ୍କ ଦ୍ୱାରା ଜିଲା ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ହେଉଥିବା ବିଭିନ୍ନ ପ୍ରଶିକ୍ଷଣ ତଥା ନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଏତଦ୍‌ବ୍ୟତୀତ କେନ୍ଦ୍ର ସରକାରଙ୍କର ସୈନ୍ୟ ବିଭାଗର ନିଯୁକ୍ତି ନିମନ୍ତେ ନୂତନ କାର୍ଯ୍ୟକ୍ରମ ଅଗ୍ନିପଥ ଯୋଜନା ବିଷୟରେ ବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା। ଉପସ୍ଥିତ ଘରୋଇ ସଂସ୍ଥା ମାନେ ନିଜ ନିଜର ଅନୁଷ୍ଠାନ ଓ ପଦପଦବୀ ତଥା ବେତନ ସମ୍ବନ୍ଧରେ ପିଲାମାନଙ୍କୁ ଅବଗତ କରାଇଥିଲେ। ପ୍ରାୟ ଏକ ଘଣ୍ଟାର ଏହି ସାଧାରଣ ସଭା ପରେ ୪ଟି କୋଠରୀରେ ସଂସ୍ଥାମାନେ ପିଲାମାନଙ୍କୁ ସିଧାସଳଖ କାଉନସେଲିଂ କରିଥିଲେ। ଏହି କାର୍ଯ୍ୟକ୍ରମ ଦିନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମକୁ ଜିଲା ନିୟୋଜନ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।