Odiapua.com

ଜିଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରାଜୁଆଳିବିନ୍ଧାର ୧୦ ଓ ୧୧ ନମ୍ବର ୱାର୍ଡବାସୀ ସମସ୍ତ ସରକାରୀ ସୁବିଧାରୁ ବଂଚିତ, ଶତାଧିକ ହରିଜନ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ; ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ପରିଚିତ ରାଜୁଆଳିବିନ୍ଧା ମୁଖ୍ୟ ରାଜସ୍ୱ ଗ୍ରାମର ବହୁ ମହିଳା ଓ ପୁରୁଷ ସେମାନଙ୍କ ଅଂଚଳ ସରକାରୀ ସୁବିଧାରୁ ବଂଚିତ ହେବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ମୁଧୁସୂଦନ ଦାସଙ୍କୁ ପ୍ରଦାନ କରିଛନ୍ତି । ଏବଂ ଆଗାମୀ ଦିନରେ ଏ ଦିଗରେ ଜିଲା ପ୍ରଶାସନ ନିରପେକ୍ଷ ତଦନ୍ତ ମୂଳେ ଉଚିତ୍ ଦୃଷ୍ଟି ନଦେଲେ ସେମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି । ଉକ୍ତ ଗ୍ରାମବାସୀଙ୍କ ମଧ୍ୟରେ ବିନୋଦ ଚନ୍ଦ୍ର ନାୟକ, ବିଷ୍ଣୁମୋହନ ମହାଳିକ, ସୁଶାନ୍ତ ମହାଳିକ, ଉମାକାନ୍ତ ରାଉତ, ଅଜୁ ମହାଳିକ, କେଦାର ମହାଳିକ ପ୍ରମୁଖଙ୍କ ନେତୃତ୍ୱରେ ଆସିଥିବା ବହୁ ମହିଳା ଓ ପୁରୁଷ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ର ମୂଳେ ରାଜୁଆଳିବିନ୍ଧା ମୁଖ୍ୟ ରାଜସ୍ୱ ଗ୍ରାମର ୱାର୍ଡ ନଂ ୧୦ ଓ ୧୧ ର ଅଧିବାସୀମାନେ ସଂପୂର୍ଣ୍ଣ ହରିଜନ ଅଧ୍ୟୁଷିତ ଅଂଚଳବାସୀ ଅଟନ୍ତି । କିନ୍ତୁ ଏହି ଗ୍ରାମରେ ୯୫ ପ୍ରତିଶତ ହରିଜନ ଓ ଦୀନ ମଜୁରିଆ ଶ୍ରେଣୀର ଅଟନ୍ତି । ସେମାନଙ୍କ ପାଇଁ ଖଣ୍ଡିଏ ପକ୍କାଘର ସାତ ସପନ ହୋଇପଡିଛି । ଏଭଳି ସ୍ଥିତିରେ ୮୦ ପ୍ରତିଶତ ଚାଳଘର ଥାଇ ମାତ୍ର ୧୦ ପ୍ରତିଶତ ଲୋକେ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି । ଯାହା ଆଜିପର୍ଯ୍ୟନ୍ତ ୨୦୧୧ ଜନଗଣନା ଅନୁଯାୟୀ କିଏ ପାଇବା ଯୋଗଁ ତାହା ଅପେକ୍ଷାକୃତ ତାଲିକାରେ ଲିପିବଦ୍ଧ ହୋଇନାହିଁ । ଏପରିକି ଗତ ଫନି ବାତ୍ୟା ପାଇଁ ହୋଇଥିବା ସର୍ଭେ ଓ ଜିଓ-ଟ୍ୟାଗ୍‌ରେ ପ୍ରକୃତ ହିତାଧିକାରୀଙ୍କ ନାମ ବାଦ୍ ପଡିଛି । ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ଅସହାୟ ଓ ବିଧବା ମହିଳାଙ୍କ ମଧ୍ୟରେ ୨/୩ ବର୍ଷ ହେବ ୨୦ ଜଣ ଭତ୍ତା ପାଇବାରୁ ବଂଚିତ ରହିଛନ୍ତି । ଅଦ୍ୟାବଧି ପରିବାର ସଦସ୍ୟମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକଙ୍କ ନାମ ରେସନ୍ କାର୍ଡରୁ ବାଦ୍ ରହିଛି ।

ଗ୍ରାମର ପାରିପାଶ୍ୱର୍ିକ ଦୃଷ୍ଟିକୋଣରୁ ଦୁଇଗୋଟି ୱାର୍ଡର ଦୁଇଟି ବିଦ୍ୟାଳୟ ରାଉତସାହି ପ୍ରାଇମେରୀ ଓ ରାଜୁଆଳିବିନ୍ଧା ସରକାରୀ ୟୁପି ସ୍କୁଲ ଥିଲେ ମଧ୍ୟ ଅଦ୍ୟାବଧି ତାହା ସରକାରୀ ଅନୁଦାନରେ ସ୍କୁଲ ଚତୁଃପାଶ୍ୱର୍ ପକ୍କା ପାଚେରୀ ଓ ପୋଖରୀର ସୌନ୍ଦର୍ଯୀକରଣ ହୋଇନାହିଁ । ଦୁଇଟି ୱାର୍ଡର ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଥିଲେ ବି ସ୍ଥାୟୀ ଗୃହ ନିର୍ମାଣ ହୋଇନାହିଁ । କାଳିଆ ଯୋଜନାରେ ୪୦ ପ୍ରତିଶତ ଲୋକଙ୍କ ନାମ ବାଦ୍ କରାଯାଇଥିଲେ ହେଁ ଅନଲାଇନ୍ ଆପ୍ଲାଏ ଦ୍ୱାରା ଅଦ୍ୟାବଧି ୩୦ ପ୍ରତିଶତରେ ସୀମିତ ରହିଛି । ସ୍ୱଚ୍ଛଭାରତ ଯୋଜନାରେ ଅଦ୍ୟାବଧି ୨୦ ପ୍ରତିଶତ ଲୋକଙ୍କର ନାମ ତାଲିକାରେ ଥିବାବେଳେ ୩୦ ପ୍ରତିଶତ ଲୋକଙ୍କର ନାମ ବାଦ ପଡିଛି । ରାସ୍ତାଘାଟର ଉନ୍ନତି କ୍ଷେତ୍ରରେ ରାଜମୁକୁନ୍ଦପୁର ପକ୍କା ପୋଲ ଠାରୁ ୧ କିମି ଦୂରତାରେ ଥିବା ସେମାନଙ୍କ ଗ୍ରାମ ୨ ବର୍ଷ ହେଲା ଆରଡିଡବ୍ଲ୍ୟୁ କିମ୍ବା ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହେବା ତ ଦୂରର କଥା ମରାମତି ମଧ୍ୟ ହେଉନାହିଁ । ଗ୍ରାମ ମଧ୍ୟରେ ଡ୍ରେନେଜ୍ ବ୍ୟବସ୍ଥା କଣ ସେମାନେ ଜାଣିନାହାଁନ୍ତି । ବର୍ଷାଦିନରେ ସେମାନେ କୃତ୍ରିମ ବନ୍ୟାରେ ଉବୁଟୁବୁ ହେଉଛନ୍ତି । ଏହି ୨ଟି ୱାର୍ଡରେ ହଜାରରୁ ଉର୍ଦ୍ଧ୍ୱ ଲୋକ ବାସ କରୁଥିଲେ ମଧ୍ୟ ଚଳିତବର୍ଷ ଗୋଟିଏ ଘାଟ (ଗାଧୁଆ ତୁଠ) କାର୍ଯ୍ୟ ଅଧା ପନ୍ତରିଆ ଭାବେ ନିର୍ମାଣ କରାଯାଇଛି । ସବୁଠାରୁ ଦୁଃଖର କଥା ଗତ ଗ୍ରାମପଞ୍ଚାୟତ ନିର୍ବାଚନରେ ଏହି ଗ୍ରାମରେ ଆଦିବାସୀ ଭୋଟର ନଥିବାସ୍ଥଳେ ୧୧ ନଂ ୱାର୍ଡଟି ଆଦିବାସୀ ସଂରକ୍ଷିତ ରଖାଯାଇଥିବାରୁ ନିର୍ବାଚନ ହୋଇନଥିଲା । ଯାହାକି ୪ ବର୍ଷ ଅତିବାହିତ ହୋଇଥିଲେ ବି ଏହି ସମସ୍ୟା ପ୍ରତି ସରପଞ୍ଚ, ସମିତିସଭ୍ୟଙ୍କ ସମେତ ପ୍ରଶାସନ ଦୃଷ୍ଟି ନଦେବାରୁ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚନ କରାଗଲା ନାହିଁ । ୨୦୦୫ ମସିହା ଠାରୁ ଏହି ଜିଲାରେ ଥିବା ତାଙ୍କ ଗ୍ରାମର ଗୋପାଳ ଜୀଉ ମିଶନ ଶକ୍ତି ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ତୁଲାଇ ଆସୁଥିବାବେଳେ ଉକ୍ତ ଦାୟିତ୍ୱରେ ଥିବା ସଭ୍ୟା ମାଳତୀ ମହାଳିକଙ୍କ ସ୍ୱାମୀ ରମେଶ ମହାଳିକ ଖାଉଟିଙ୍କ ପ୍ରତି କରିଆସୁଥିବା ଅଶୋଭନୀୟ ଆଚରଣକୁ ଭିତ୍ତିକରି ମାର୍କେଟିଂ ଇନ୍ସିପେକ୍ଟର ଏବଂ ବିଡିଓଙ୍କ ଜ୍ଞାତସାରରେ ଲିଖିତ ଅଭିଯୋଗ ଆଧାରରେ ମାଳତୀ ମହାଳିକଙ୍କୁ ବଣ୍ଟନ ଦାୟିତ୍ୱରୁ ଗତ ସେପ୍ଟେମ୍ବର ୨୦୨୦ ରୁ ବାଦ୍ ଦେଇ ଉକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଓ ସଂପାଦିକା ନିଜେ ବଣ୍ଟନ ଦାୟିତ୍ୱ ତୁଲାଉଛନ୍ତି ।

ସେହିଦିନ ଠାରୁ ଅଦ୍ୟାବଧି ରମେଶ ମହାଳିକ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ବିରୁଦ୍ଧରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ଇଙ୍ଗିତରେ ମିଥ୍ୟା ଅଭିଯୋଗମାନ କରିଆସୁଛନ୍ତି । ଏପରିକି ରମେଶ ବହୁ ଅଶ୍ଳୀଳ ଭାଷାରେ ହିତାଧିକାରୀଙ୍କୁ ଗାଳିଗୁଲଜ କରୁଥିବା ନେଇ ସେପ୍ଟେମ୍ବର ୨୦ ପୂର୍ବରୁ ଗ୍ରାମର ୩/୪ ଜଣଙ୍କ ସହିତ ଥାନା ଓ କୋର୍ଟରେ କେଶ୍ ରୁଜୁ ହୋଇଛି । ଏହି ଗ୍ରାମରେ ରେସନ୍ କାର୍ଡରେ ସାମିଲ ଥାଇ ଯେଉଁ ୩୦ ପ୍ରତିଶତ ସଦସ୍ୟଙ୍କ ନାମ ବାଦ୍ ପଡିଛି, ତାହା ସାମିଲ କରିବା ପାଇଁ ଭଦ୍ରକ ଯୋଗାଣ ବିଭାଗର ଏମ୍‌ଆଇ ଅକ୍ଷମତା ପ୍ରକାଶ କରୁଥିବା ସ୍ଥଳେ ରମେଶଙ୍କ ନାମରେ କାର୍ଡ ଓ ତାଙ୍କ ପତ୍ନୀ ମାଳତୀଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ ଥିଲେ ମଧ୍ୟ ସରପଞ୍ଚ, ସମିତି ସଭ୍ୟା ତଥା ଏମ୍‌ଆଇଙ୍କୁ ଅବଗତ କରାଯାଇଥିଲେ ବି ସେମାନଙ୍କୁ ସୁରକ୍ଷା ଦିଆଯାଇ ମିଥ୍ୟା ଅଭିଯୋଗ ଆଧାରରେ ଗୋପାଳ ଜୀଉ ମିଶନ ଶକ୍ତି ରିଟେଲର ଗ୍ରୁପ୍‌କୁ ବଣ୍ଟନ ଦାୟିତ୍ୱରୁ ବାଦ୍ ଦିଆଯାଇ ସେମାନଙ୍କ ଗ୍ରାମ ଠାରୁ ୫ କିମି ଦୂରରେ ଥିବା ବିଷ୍ଣୁପୁର ଗ୍ରାମପଞ୍ଚାୟତର ରିଟେଲର ଖାତାରେ ଟ୍ୟାଗ୍ କରାଯାଇ ପୁଣି ସେହି ରମେଶ ମହାଳିକଙ୍କୁ ବଣ୍ଟନ ଦାୟିତ୍ୱ ଦିଆଯିବା ପାଇଁ ମସୁଧା ହେଉଛି । ଏବଂ ଏହି ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାଉଳ, ଗହମ ଓ କିରୋସିନି ଇସ୍ୟୁ କରାଯାଇନାହିଁ । ମାତ୍ର ଯୋଗାଣ ବିଭାଗର ଏମ୍‌ଆଇ ସେମାନଙ୍କ ଗ୍ରାମକୁ ନଆସି କୌଣସି ବିଷୟ ନବୁଝି ସୁଷମ ଭାବେ ବାଣ୍ଟିଆସୁଥିବା ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚକ୍ରାନ୍ତପୂର୍ଣ୍ଣ ଭାବେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ଘୋର ବିରୋଧ କରିଛନ୍ତି ଗ୍ରାମବାସୀମାନେ । ଏଣୁ ଏ ସମସ୍ତ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସଂପୃକ୍ତ ଏମ୍‌ଆଇଙ୍କ ବ୍ୟତୀତ ଅନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ତଦନ୍ତ କରାଯାଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି ।