Odiapua.com

ଜିଲାରେ ଧାନ ସଂଗ୍ରହ କାର୍ଯ୍ୟରେ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ,ପାକ୍ସ ସଭାପତି ଓ ବିବିସିସି ବ୍ୟାଙ୍କ ନିର୍ଦ୍ଦେଶକଙ୍କ ବିକ୍ଷୋଭ ଓ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ଧାନ ସଂଗ୍ରହ କାର୍ଯ୍ୟରେ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟିକୁ ନେଇ ସେବା ସମବାୟ ସମିତିର ସଭାପତି ଓ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏମାନଙ୍କର ଅଭିଯୋଗ ହେଲା ଗତ ଜାନୁଆରୀ ୫ ତାରିଖରେ ଧାନକିଣା ଆରମ୍ଭ ହୋଇଥିଲା। ଏହାମଧ୍ୟରେ ୨୦ ଦିନ ବିତିଯାଇଥିଲେ ମଧ୍ୟ ଜିଲା ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ ୪୦ ଲକ୍ଷ କ୍ୱିଂଟାଲ ମଧ୍ୟରୁ ମାତ୍ର ୫ ଲକ୍ଷ କ୍ୱିଂଟାଲ ଧାନ କିଣାଯାଇଛି। ବିଶେଷକରି ଧାନକ୍ରୟ ସମୟରେ ସାଧାରଣ ଚାଷୀଙ୍କର ବିଭିନ୍ନ ଛୋଟବଡ ସମସ୍ୟାକୁ ନିଜେ ସମାଧାନ ନକରାଇ ସମିତି ମୁଣ୍ଡରେ ଠେଲିଦେଲା ଭଳି କାର୍ଯ୍ୟ କରିବାରୁ ଆଜି ଏଭଳି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଏଭଳି ପରିସ୍ଥିତି ଜାରି ରହିଲେ ଜିଲାର ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବାନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ପ୍ରଶାସନିକ କର୍ତୃପକ୍ଷ ଓ ମିଲରମାନଙ୍କ ଅସହଯୋଗ କାରଣରୁ ଧାନସଂଗ୍ରହ କାର୍ଯ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଫଏକ୍ୟୁ ମାନର ଆଳରେ କଟନୀ ଛଟନୀ କରାଯାଇ ଚାଷୀମାନଙ୍କୁ ନାନା ହଇରାଣ କରୁଛନ୍ତି। ଏହାବ୍ୟତୀତ ଧାନ ମଣ୍ଡିରେ ପଡିରହିଥିବାରୁ ଷଣ୍ଢ, ଛେଳି ମୂଷାମାନେ ଖାଇ ନଷ୍ଟ କରିପକାଉଛନ୍ତି। ଏବେ ଚାଷୀ ଧାନ ବିକ୍ରି ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହେଉଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ହସ୍ତକ୍ଷେପ କରି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଧାନର ଉପଯୁକ୍ତ ପ୍ରାପ୍ୟ ଦେବାକୁ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ବିଶେଷକରି ଚାଷୀମାନଙ୍କ ଗୋଟିଏ ଟୋକନ ଯେପରି ଲାପ୍ସ ନହୋଇ ସଂପୂର୍ଣ୍ଣ ଧାନ କିଣାଯିବ, ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି। ଧାନ କ୍ରୟକାରୀ ସଂସ୍ଥାର କର୍ମଚାରୀମାନେ ସରକାରଙ୍କ ନୀତି ନିର୍ଦ୍ଧାରଣ ଅନୁସାରେ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇ ଚାଷୀଙ୍କ ଆଶା ପୂରଣ କରିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବାକୁ ପ୍ରଶାସନକୁ ଦାବି କରାଯାଇଛି। ଚାଷୀମାନଙ୍କର ନ୍ୟାର୍ଯ୍ୟ ଦାବୀ ଓ ପ୍ରାପ୍ୟ ନମିଳିଲେ ଆସନ୍ତା ୪୮ ଘଂଟା ମଧ୍ୟରେ ସମିତି ମଣ୍ଡିରୁ ଧାନ ଉଠିଲେ ଆଗାମୀ ଦିନରେ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ବିବିସିସି ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର, ନିର୍ଦ୍ଦେଶକ ପ୍ରକାଶଜ୍ୟୋତି ମହାକୁଡ, ରମେଶ ଚନ୍ଦ୍ର ଭାରତୀ, ରାହାଞ୍ଜ ସମବାୟ ସମିତି ସଭାପତି ତପନ ପଣ୍ଡା, ଗୁଜିଦରଡା ସମବାୟ ସମିତି ସଭାପତି ମହମ୍ମଦ ଫରାଦ ଆଲାମ ଖାନ୍‌, ଚଣ୍ଡିଗାଁ ସଭାପତି ବିକାଶ ମହାନ୍ତି, ଶ୍ରୀରାମ ସମବାୟ ସମିତିର ପ୍ରଭାତ ପଣ୍ଡା, ବସନ୍ତିଆ ସଭାପତି ବସନ୍ତ ବେହେରା, ପଧାନପଡା ସଭାପତି ସେକ୍ କଦମ, ଚାଇପୁର ସଭାପତି ଅଜୟ ନାୟକ, କେନ୍ଦୁଆପଦା ସଭାପତି ଜୟନ୍ତ ସାମଲ, ଯୋଗେନ୍ଦ୍ର କୁମାର ଘଡେଇ, ମଳୟ ରାଉତ, ନିତ୍ୟାନନ୍ଦ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।