Odiapua.com

ଜିଲାରେ ଦୁଇଦିନିଆ ସଟ୍‌ଡାଉନ୍ : ଶୂନଶାନ ସହରରେ ନୀରବତାର ଛାଇ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୧୧ଟି ଜିଳାରେ ଚଳିତମାସ ପ୍ରଥମ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ସଟଡାଉନ୍ ଘୋଷଣା କରାଯାଇଛି । ତଦନୁଯାୟୀ ଭଦ୍ରକରେ ଏହି ସଟଡାଉନ୍ ଯୋଗୁଁ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ମୁଖ୍ୟ ରାସ୍ତାଗୁଡିକ ଖାଁ ଖାଁ ଲାଗୁଥିଲା । ତେବେ ପୂର୍ବରୁ ହୋଇଥିବା ସଟ୍‌ଡାଉନ୍ ସମୟରେ କେତେକ ଅମାନିଆ ଘରୁ ବାହାରି ବୁଲୁଥିବାର ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଆଜିର ଏହି ସଟଡାଉନ୍‌ରେ କେହି ଘରୁ ବାହାରିନଥିବାର ଦେଖାଦେଇଥିଲା । ଚରମ୍ପାରୁ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଦେଇ ଯାଇଥିବା ସହରର ମୁଖ୍ୟ ରାସ୍ତାରେ କେବଳ କେତେକ ପାଟ୍ରୋଲିଂ ପୁଲିସ୍ ଗାଡି ଓ ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର ହେଉଥିବା ଜରୁରୀ କାଳୀନ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଗୁଡିକର ସାଇରନ୍ ସଟଡାଉନ୍‌ର ନୀରବତାକୁ ଭଙ୍ଗ କରୁଥିଲା । କଦବା କେମିତି ଗୋଟିଏ ଦୁଇଟି ଦୁଇଚକିଆ ଗାଡିରେ ଅସୁସ୍ଥ ଲୋକେ ଓ ଡ୍ୟୁଟି କରିବାକୁ ଯାଉଥିବା କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା । ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଚରମ୍ପା, ବନ୍ତଛକ, ଚାନ୍ଦବାଲି ବାଇପାସ ଛକ, ଟାଉନ୍ ହଲ ଛକ ଓ ଅପର୍ତ୍ତିବିନ୍ଧା ଚକ ଭଳି ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ସେମାନେ କେତେକ ଯାନବାହନ ଆରୋହୀଙ୍କୁ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇ ସଚେତନ କରାଉଥିବାର ଲକ୍ଷ୍ୟ କରାଯାଇଥିଲା ।