Odiapua.com

ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ, ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ, ୨ ଲକ୍ଷ ୭୯ ହଜାର ୭୦୪ ପ୍ରଭାବିତ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଉପର ମୁଣ୍ଡରେ ସ୍ୱଳ୍ପ ବୃଷ୍ଟି ଓ ଆଜିର ଅନୁକୂଳ ପାଗ ପାଇଁ ବନ୍ୟାଂଚଳରେ ସାମାନ୍ୟ ସୁଧାର ଆସିଛି। ତେବେ ଆସନ୍ତା ଦିନରେ ପୁଣି ଯଦି ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଆସେ, ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ୍‌, ସ୍ୱାସ୍ଥ୍ରସେବା, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ଠିକ୍ ଠାକ୍ କରାଯାଇଛି ବୋଲି ଆଜି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସୂଚନା ଅନୁଯାୟୀ ଏବେ ଭଦ୍ରକ ଜିଲାର ୫ଟି ବ୍ଲକ୍ ଭଣ୍ଡାରିପୋଖରୀ, ତିହିଡି, ଧାମନଗର, ଚାନ୍ଦବାଲି ଓ ଭଦ୍ରକ ସହ ଧୁଷୁରୀ ସହରାଂଚଳ ପ୍ରଭାବିତ ହୋଇଛି। ୪୭ଟି ଗ୍ରାମପଂଚାୟତ, ୨୧୨ଟି ଗାଁ ଓ ୪ଟି ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ ୨ ଲକ୍ଷ ୭୯ ହଜାର ୭୦୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ୧ ଲକ୍ଷ ୫ ହଜାର ୩୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନାନ୍ତରିତ ସମସ୍ତ ବନ୍ୟା ପୀଡିତଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଆଜିସୁଦ୍ଧା କୌଣସି ଲୋକଙ୍କର ମୃତ୍ୟୁ ଘଟିନାହିଁ। ଘରଭଂଗା, କୃଷି ଫସଲ ଓ କୃଷି ଉଦ୍ୟାନର କ୍ଷୟକ୍ଷତି ଆକଳନ ଜାରି ରହିଛି ବୋଲି ସେ କହିଥିଲେ। ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ୧୨୨ଟି ମାଗଣା ରନ୍ଧାଘର କାର୍ଯ୍ୟକ୍ଷମ କରାଯାଇଛି। ଆଜିସୁଦ୍ଧା ୪୦ ହଜାର ୮ ଶହ ପାଣି ବୋତଲ, ୬୭ ହଜାର ପାଣି ପାଉଚ ଓ ୧୦୫୦ ରୋଲ୍ ପଲିଥିନ ବଂଟନ କରାଯାଇଚି। ଏହାବ୍ୟତୀତ ୧୪୭.୦୭ କ୍ୱିଂଟାଲ ଚୁଡା ବଂଟନ କରାଯାଇଥିବାବେଳେ ସମୁଦାୟ ବଂଟନର ପରିମାଣ ୫୫୬.୮୫ କ୍ୱିଂଟାଲରେ ପହଂଚିଛି। ଉତମ ପାନୀୟ ଜଳ ଯୋଗାଣ ପାଇଁ ମୋବାଇଲ୍ ଜଳ ବିଶୋଧନ ପ୍ଲାଂଟ ଓ ୧୯ଟି ପାଣି ଟ୍ୟାଙ୍କର ନିୟୋଜିତ କରାଯାଇଛି। ପଶୁସଂପଦ ପାଇଁ ଆବଶ୍ୟକ ଥିବା ୧୧୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମଧ୍ୟରୁ ୮୫ ମେଟ୍ରିକ୍ ଟନ୍ ବଂଟନ କରାଯାଇଛି। ପଶୁସଂପଦ ସୁରକ୍ଷା ସହ ଜନସ୍ୱାସ୍ଥ୍ୟ ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବନ୍ୟା ଯୋଗୁଁ ୧ ଲକ୍ଷ ୧୨ ହଜାର ୭୫୩ ଟି ପଶୁସଂପଦ ପ୍ରଭାବିତ ହୋଇଛି। ଏହାମଧ୍ୟରେ ୭୮ ହଜାର ୧୪୫ଟି ବଡ ପଶୁ ଓ ୩୪ ହଜାର ୬୦୮ ଛୋଟ ପଶୁ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ୧୦ ହଜାର ୮ ଶହ କୁକୁଡା ମଧ୍ୟ ପ୍ରଭାବିତ ହୋଇଛି। ୯ଟି ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୧୦୦ ପଶୁଙ୍କୁ ଟୀକାକରଣ କରାଯାଇଥିବାବେଳେ ୭୦୮ ପଶୁଙ୍କୁ ଚିକିତ୍ସା କରାଯାଇଛି। ସ୍ୱାସ୍ଥ୍ୟସେବା ପାଇଁ ୪୦ଟି ମେଡିକାଲ ଟିମ୍ ଏବଂ ୬ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି। ୪ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ମଧ୍ୟ ନିୟୋଜିତ ହୋଇଛି। ଆଜିସୁଦ୍ଧା ୮୫୦ ଟି ନଳକୂପ ବିଶୋଧନ କରାଯାଇଛି। ୬୨ ଟି ଝାଡାରୋଗ ମାମଲା ରିପୋର୍ଟ ହୋଇଥିବାବେଳେ ୫୧ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସେହିପରି ୧୨ଟି ସାପ କାମୁଡା ମାମଲା ରିପୋର୍ଟ ହୋଇଛି। ୫୩ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସ୍ଥାନାନ୍ତରଣ କରାଯାଇଛି। ଯେଉଁଥିରେ ୧୬ଟି ପ୍ରସବ ସଂପନ୍ନ ହୋଇଛି। ବର୍ତମାନ କୌଣସି ରୋଗର ଗୋଷ୍ଠୀ ସଂକ୍ରମଣ ବା ରୋଗ ବ୍ୟାପିବାର ଘଟଣା ରିପୋର୍ଟ ହସ୍ତଗତ ହୋଇନାହିଁ। ଉଦ୍ଧାର ଓ ଜରୁରୀ କାଳୀନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି। ଭଣ୍ଡାରିପୋଖରୀର ଷୋଳମପୁର ଓ ରହଣିଆ, ଧାମନଗରର ସେଣ୍ଢପୁର ଓ ଅର୍ଜୁନପୁର, ତିହିଡିର ଗୋବିନ୍ଦପୁର ଓ ତିହିଡି, ଚାନ୍ଦବାଲିର ଆରଡି ଓ ନାଲଗୁଣ୍ଡା ଅଂଚଳରେ ସମୁଦାୟ ୪ଟି ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ତିହିଡିରେ ଗୋଟିଏ ଏନଡିଆରଏଫ ନିୟୋଜିତ ଥିବାବେଳେ ଧାମନଗରରେ କଟକରୁ ୨ଟି ଅତିରିକ୍ତ ଅଗ୍ନିଶମ ଟିମ୍ ନିୟୋଜିତ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ବ୍ଲକ୍ ଓ ସହରାଂଚଳ ଓ ବିଭିନ୍ନ ବିଭାଗ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଇଛି। ଜୀବନରକ୍ଷା ବିପଦ ପ୍ରବଣ ଲୋକଙ୍କୁ ସ୍ଥାନାନ୍ତରଣ, ଖାଦ୍ୟ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଚିକିତ୍ସା ସେବା, ପରିମଳ ବ୍ୟବସ୍ଥା ଓ ଜଳ ପ୍ରଭାବିତ ରୋଗ ପ୍ରତିରୋଧକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ଜିଲାପାଳ ଶ୍ରୀ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ ଓ ରବିନାରାୟଣ ସାହୁ ଉପସ୍ଥିତ ଥିଲେ।