ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ ଆଜି ଓ ଗତକାଲିର ମୂଷଳ ଧାରାର ବର୍ଷା ବନ୍ୟା ଦୁର୍ଗତବାସୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ବନ୍ୟା ପ୍ରଭାବିତ ଅଂଚଳରେ ହୋଇଥିବା କ୍ଷୟକ୍ଷତି, ରିଲିଫ୍ ବଂଟନ ଓ ଥଇଥାନ ସଂପର୍କରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ବାରମ୍ବାର ସମୀକ୍ଷା କରିଚାଲିଛନ୍ତି। ଜିଲାପାଳ ଶ୍ରୀ ଉପାଧ୍ୟାୟ ବନ୍ୟାର ଭୟାବହ ପରିସ୍ଥିତି ସମୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ଜିଲାର ଭୂଗୋଳ ଓ ଇତିହାସ ଜାଣିନଥିବା ନୂଆ ଜିଲାପାଳ ନିଜ କାର୍ଯ୍ୟାଳୟରେ ନବସି ବନ୍ୟା ପ୍ରଭାବିତ ଧାମନଗର, ଚାନ୍ଦବାଲି ଓ ତିହିଡି ବ୍ଲକ୍ର କ୍ଷତିଗ୍ରସ୍ତ ଅଂଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଚାଲିଛନ୍ତି। ବନ୍ୟା ପ୍ରଭାବିତ ପରିବାରଙ୍କ ବାସ୍ତବ ସ୍ଥିତି ନିଜେ ଅନୁଭବ କରିଛନ୍ତି। କିଭଳି ବନ୍ୟା କ୍ଷତିଗ୍ରସ୍ତ ଅଂଚଳରେ ପାନୀୟ ଜଳର ସୁବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ବିଶେଷକରି ସାପ କାମୁଡା ଔଷଧ ମହଜୁଦ, ବନ୍ୟାରେ କ୍ଷୟକ୍ଷତି ହୋଇଥିବା ସଡକ ପଥ, ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା, ନଦୀବନ୍ଧ ଗୁଡିକର ମରାମତି ସହ ବିପନ୍ନ ଲୋକଙ୍କୁ ରିଲିଫ୍ ଯୋଗାଣ ଓ ଥଇଥାନ ସହ କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଶୀଘ୍ର ମରାମତି କାର୍ଯ୍ୟ କରିବା ପାଇଁ ଆଜି ଜିଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ ଭାବନା ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନିଜର ଦାୟିତ୍ୱ ତୁଲାଇବା ସଂପର୍କରେ ସଚେତନ କରିଥିଲେ। ଯେଉଁ ବିଭାଗରେ ଯେଉଁ କାର୍ଯ୍ୟ ତ୍ୱରିତ୍ୱ ଓ ତ୍ରୁଟିଶୂନ୍ୟ ଭାବରେ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ଓ ଜିଲା ପ୍ରଶାସନିକ ଅଧିକାରୀମାନଙ୍କ ସହ ଲାଇନ୍ ଡିପାର୍ଟମେଂଟର ଇଂଜିନିୟରମାନେ ଯୋଗ ଦେଇଥିଲେ।