Odiapua.com

ଜିଲାପାଳଙ୍କ ଭଦ୍ରକ କଲେଜ ପରିଦର୍ଶନ, ବିବଧ ସମସ୍ୟାର ସମାଧାନର ଦେଲେ ପ୍ରତିଶ୍ରୁତି

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଭଦ୍ରକ କଲେଜ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ତାଙ୍କ ସହ ସହକାରୀ ଜିଲାପାଳଙ୍କ ସମେତ ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉପସ୍ଥିତ ରହି କଲେଜର ବହୁ ସମସ୍ୟା ସଂପର୍କରେ ଆଲୋଚନା ପୂର୍ବକ ଅନୁଧ୍ୟାନ କରିଛନ୍ତି । ଜିଲାପାଳ ଶ୍ରୀ ରାଉତରାଏ ଦୀର୍ଘ ୨ ଘଂଟା କଲେଜ ପରିସର ବୁଲିବା ସହ ବସ୍ତୁତଃ ମୁଖ୍ୟ ୮/୯ଟି ସମସ୍ୟା ମଧ୍ୟରେ ଥିବା କଲେଜର ଚତୁଃପାଶ୍ୱର୍ ପାଚେରୀ ନିର୍ମାଣ, କଲେଜର ଜବରଦଖଲ ଜମି ଉଚ୍ଛେଦ, ଅର୍ଦ୍ଧନିର୍ମିତ ଫାଟକର ନିର୍ମାଣ କାର୍ଯ୍ୟ ଶେଷ, ନିର୍ବାଚନ ପରେ କଲେଜର କକ୍ଷଗୁଡିକର ମରାମତି ସହ ଭଂଗାରୁଜା ଅବସ୍ଥାରେ ପଡିରହିଥିବା ଆସବାବ ପତ୍ର ଗୁଡିକର ଆବଶ୍ୟକୀୟ ମରାମତି, ଖେଳପଡିଆ ଓ ବିଦ୍ୟୁତ ସରବରାହର ପୁନରୁଦ୍ଧାର, ଜଳ ନିଷ୍କାସନ ବ୍ୟବସ୍ଥା, ହଷ୍ଟେଲ ଗୁଡିକର ମରାମତି ଓ ନବୀକରଣ ସହ ଅଡିଟରିୟମ୍‌ର ନିର୍ମାଣ ସଂପର୍କରେ ତଦାରଖ କରିଥିଲେ । ଏହି ଗସ୍ତକାଳରେ ଉପଜିଲାପାଳ ମନୋଜ ପାତ୍ର, କଲେଜ ପରିଚାଳନା କମିଟିର ସଭାପତି ପ୍ରଫେସର ଡ. ଶୈଳେନ୍ଦ୍ର କୁମାର ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ଡ. ଦେବେନ୍ଦ୍ର ରାଉତ, ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ଡ. ପଦ୍ମନାଭ ପତ୍ରୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. କମଳାକାନ୍ତ ଜେନା, ଗୋକୁଳାନନ୍ଦ ମହାନ୍ତି, ମନୋଜ ସାହୁଙ୍କ ସହ ବହୁ ଅଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଜିଲାପାଳଙ୍କ ସହ ଉପରୋକ୍ତ ସମସ୍ୟା ଗୁଡିକର ଦୃଷ୍ଟି ଆକର୍ଷଣ ପୂର୍ବକ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଜିଲାପାଳ ଶ୍ରୀ ରାଉତରାଏ ଉପରୋକ୍ତ ସମସ୍ୟା ଗୁଡିକର ଦୂରୀକରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସକରାତ୍ମକ ପ୍ରତିଶ୍ରୁତି ଦେଇଛନ୍ତି ।