Odiapua.com

ଜିଲାପାଳଙ୍କ ବିନା ଅନୁମୋଦନରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୨ ଅସାଧୁ କର୍ମଚାରୀ କରୁଛନ୍ତି ଟ୍ରାନ୍ସଫର ଓ ଡେପୁଟେସନ, ଡିଇଓଙ୍କ ସ୍ୱେଚ୍ଛାକୃତ ଅବସରକୁ ନେଇ ଚର୍ଚ୍ଚା

ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ବିନା ଅନୁମୋଦନରେ ଶିକ୍ଷକମାନଙ୍କର ଟ୍ରାନ୍ସଫର ଓ ଡେପୁଟେସନ ଚାଲିଥିବା ନେଇ ଜିଲା ଓଷ୍ଟା ଓ ୟୁଟିଆ ପକ୍ଷରୁ ଅଭିଯୋଗ ହୋଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଡିଇଓଙ୍କୁ କରାୟତ କରି କାର୍ଯ୍ୟାଳୟର ଦୁଇ କର୍ମଚାରୀ କ୍ଷମତା ଅପବ୍ୟବହାର କରି ଶିକ୍ଷକମାନଙ୍କୁ ହଇରାଣ ହରକତ କରୁଥିବା ନେଇ ଶିକ୍ଷକ ସଂଘ ଗୁରୁତର ଅଭିଯୋଗ ଆଣିଛି। କାର୍ଯ୍ୟାଳୟରେ ଦଲାଲରାଜ ଚଳାଇଥିବା ଦୁଇ ଅସାଧୁ କର୍ମଚାରୀଙ୍କୁ ଯଦି ଏଠାରୁ ହଟାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମ ପନ୍ଥା ଅବଲମ୍ବନ କରାଯିବ ବୋଲି ଉଭୟ ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ନୟାଗଡ଼ ଜିଲା ଶିକ୍ଷା ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସରକୁ ନେଇ ଦିନକୁ ଦିନ ବଢୁଛି ଅଡ଼ୁଆ। ଚାକିରୀ କାଳ ଦେଢବର୍ଷ ଥିଲାବେଳେ କାହିଁକି ଏପରି ଅବସର ନେବା କଥା ମନକୁ ଆଣିଲେ ତାହା ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି। ଗତ ଚାରିଦିନ ତଳେ ଡିଇଓ ଶ୍ରୀ ବେହେରା ସ୍ୱେଚ୍ଛାକୃତ ଅବସର ନେବା ନିମନ୍ତେ ଆବେଦନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିବା ନେଇ ଜିଲା ଶିକ୍ଷକ ସଂଘରେ ବିଭିନ୍ନ ପ୍ରତିକ୍ରିୟା ଦେଖାଦେଇଛି। ତେବେ କାର୍ଯ୍ୟାଳୟରେ ଦଲାଲରାଜ ଯୋଗୁଁ ଡିଇଓ ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଜିଲା ମାଧ୍ୟମିକ ଶିକ୍ଷକ ଶିକ୍ଷକ ସଂଗଠନ (ଓଷ୍ଟା) ଓ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁଟିଆ) ପ୍ରେସ ରିଲିଜ୍ ଜରିଆରେ ଜଣାଇଛନ୍ତି। ଏଥିନେଇ ପ୍ରଧାନଶିକ୍ଷକ ପ୍ରତାପ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ମିଳିତ ବୈଠକରେ ୟୁଟିଆ ସଭାପତି ସୁବାଷ ଚନ୍ଦ୍ର ମହାପାତ୍ର, ଓଷ୍ଟା ସଭାପତି ଅଯୋଧ୍ୟା ନାଥ ନାୟକ, ସଂପାଦକ ମାଣିକେଶ୍ୱର ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତିଯେ ଡିଇଓ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ଡିଇଓଙ୍କୁ କରାୟତ କରି ନିଜକୁ ସର୍ବେସର୍ବା ମନେକରି ମୋଟା ବଟି ଆଦାୟ କରି ମନଇଛା ବଦଳି ସହ ବହୁ ଅରାଜକତା ଚଲାଇଛନ୍ତି। ଏପରିକି ଜିଲାଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ଶିକ୍ଷକମାନଙ୍କର ବଦଳି ଓ ଡେପୁଟେସନ ଆଦି କ୍ଷମତାର ଅପବ୍ୟବହାର କରୁଥିବା ନେଇ ଶିକ୍ଷକ ସଂଘ ଅଭିଯୋଗ କରିଛି। ଏପରିକି କରୋନା ସମୟରେ ବଦଳି ନଥିବାବେଳେ ଡିଇଓ କାର୍ଯ୍ୟାଳୟର ଏହି ଦୁଇ ଅସାଧୁ କର୍ମଚାରୀ ସବୁ ନିୟମକୁ ଉଲଘଂନ କରି ଶିକ୍ଷକମାନଙ୍କୁ ହଇରାଣ ହରକତ କରୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏଥିନେଇ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଲେ ମଧ୍ୟ କିଛି ପ୍ରତିକାର ହେଉନାହିଁ। ଯଦି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ଦୁଇ ଚେତାବନୀ ଦେଇଛି। ଚାକିରୀ କାଳ ଥାଉ ଥାଉ ଡିଇଓଙ୍କ ସ୍ୱେଚ୍ଛାକୃତ ଅବସର ଓ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୨ ଅସାଧୁ କର୍ମଚାରୀଙ୍କ ମନମାନିକୁ ନେଇ ଏବେ ଜିଲାରେ ମୁଖ୍ୟ ଆଲୋଚନାର ‌ବିଷୟ ହୋଇଛି।