Odiapua.com

ଜିଲାପାଳଙ୍କୁ ଦୁଃଖ ଜଣାଇଲେ ଭଦ୍ରକ ରେଳଷ୍ଟେସନ ଅଟୋରିକ୍ସା ମାଲିକ ସଂଘ

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳଷ୍ଟେସନ ଅଟୋରିକ୍ସା ମାଲିକ ସଂଘ ପକ୍ଷରୁ ଶହ ଶହ ଚାଳକଙ୍କ ପେଟପାଟଣା ପାଇଁ ଆଜି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଅଟୋରିକ୍ସା ମାଲିକ / ଚାଳକମାନେ ଷ୍ଟେସନ ନିକଟରେ ଷ୍ଟାଣ୍ଡ କରି ଟ୍ରେନ୍ ଯାତ୍ରୀଙ୍କୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ପରିବହନର ସୁବିଧା ଯୋଗାଇ ଦେଇଥାନ୍ତି । ବିଶେଷକରି ବସ୍‌ଷ୍ଟାଣ୍ଡ, ହସ୍‌ପିଟାଲ, ନର୍ସିଂ ହୋମ୍‌, କଚେରୀ ବଜାର, ଚନ୍ଦନ ବଜାର ଆଦି ସହରାଞ୍ଚଳର ବିଭିନ୍ନ ସ୍ଥାନ ସହ ଆଖପାଖ ଅଂଚଳକୁ ଯାତ୍ରା କରି ଦୈନନ୍ଦିନ ଆୟରେ ପରିବାର ପ୍ରତିପୋଷଣ କରିବା ସହ ବ୍ୟାଙ୍କଋଣ ପରିଶୋଧ କରିବାକୁ ପଡିଥାଏ । ଅଟୋଚାଳନା ବ୍ୟତୀତ ଏହି ମାଲିକମାନଙ୍କର ଜୀବିକା ନିର୍ବାହ ପାଇଁ ଅନ୍ୟ କୌଣସି ପନ୍ଥା ନାହିଁ । ପରିତାପର ବିଷୟ ଏହି ଯେ କେତେକ ବସ୍ ମାଲିକ ଷ୍ଟେସନ ଅଂଚଳରେ ପାର୍କିଂ କରିବାର ପରମିଟ୍‌ରେ ବ୍ୟବସ୍ଥା ନଥିଲେ ମଧ୍ୟ ବେଆଇନ୍ ଭାବେ ବସ୍ ରଖି ଟ୍ରେନ୍ ଯାତ୍ରୀମାନଙ୍କୁ ବସ୍‌ରେ ନେଇ ପଳାଉଛନ୍ତି । ଫଳରେ ଅଟୋ ଚାଳକମାନଙ୍କ ଦୈନନ୍ଦିନ ରୋଜଗାର ବାଧାପ୍ରାପ୍ତ ଘଟୁଛି । ପରିବାର ଚଳାଇବା କଷ୍ଟକର ହୋଇପଡିବା ସହ ବ୍ୟାଙ୍କକୁ ଋଣ ପରିଶୋଧ କରିବା ସମ୍ଭବପର ହୋଇପାରୁନାହିଁ । ଏ ସଂପର୍କରେ ଭଦ୍ରକ ଟାଉନ୍ ଥାନା ଇନ୍ସିପେକ୍ଟର, ଏମ୍‌ଭିଆଇଙ୍କୁ ପୂର୍ବରୁ ସଂଘ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଏହି ଅଭିଯୋଗର ହସ୍ତକ୍ଷେପ କରି ସମାଧାନ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସଂଘର ସଭାପତି ଜାବିର ଖାନ୍‌, ସଂପାଦକ ଶ୍ୟାମସୁନ୍ଦର ପଲାଇ, ସୁବାଷ ବେହେରା, ରଂଜନ ମଲ୍ଲିକ, ଶ୍ୟାମସୁନ୍ଦର ନାୟକ, ଜଗବନ୍ଧୁ ବାରିକ, ନାରଣ ଦାସ, ଟିକିଲି ପରିଡା, ଅନାମ ମହାପାତ୍ର, ମନତୋଷ ଦାସ, ବାପୁନ ବେହେରା ପ୍ରମୁଖ ବହୁ ଅଟୋରିକ୍ସା ମାଲିକମାନେ ଜିଲାପାଳଙ୍କୁ ଦୁଃଖ ଜଣାଇଥିଲେ ।