ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର କଲେଜ ନିକଟରେ ଧାମନଗର ପୋଲିସ ଓ ଭଦ୍ରକ ଆରଟିଓ ମିଳିତ ଭାବେ ଜିରୋ ଟଲରେନ୍ସ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଅଭିଯାନ ସମୟରେ ମୋଟର ସାଇକେଲ, ଟ୍ରକ୍ ଟ୍ରାକ୍ଟର କାର ଓ ଅନ୍ୟାନ୍ୟ ଯାନବାହନ ଗୋଡ଼ିକରେ ହେଲମେଟ୍, ଫିଟନେସ, ଇନସୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକ କାଗଜପତ୍ର ଯାଂଚ କରାଯାଇଥିଲା। ଯାଂଚ ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୧୭ଟି ଚାଲାଣ କଟାଯାଇ ୯୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବିଶେଷ କରି ଦୁଇଚକିଆ ଚାଳକମାନଙ୍କ ମଧ୍ୟରେ ହେଲମେଟ୍ ନ ପିନ୍ଧିବା, ଯାନର ଫିଟନେସ ଓ ଇନସୁରାନ୍ସ ନଥିବା ଘଟଣା ଅଧିକ ଦେଖିବାକୁ ମିଳିଥିଲା। ଏହି ଚେକିଂରେ ଜୁନିୟର ଏମଭିଆଇ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ଓ ଧାମନଗର ଥାନାର ଏଏସଆଇ ସୁଜିତ୍ ରାଉତ ଉପସ୍ଥିତ ଥିଲେ। ଅନ୍ୟପଟେ ଚେକିଂ ସମୟରେ କିଛି ଚାଳକ ଧାମନଗର ଅଂଚଳର ରାସ୍ତା ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ କହିବା ଅନୁସାରେ ଅନେକ ସ୍ଥାନରେ ରାସ୍ତା ଭଙ୍ଗା ଓ ଗାଢ ହୋଇଥିବାରୁ ଦୁର୍ଘଟଣାର ଭୟ ରହୁଛି, ତଥାପି କଡ଼ା ଚେକିଂ କରାଯାଉଛି। ପ୍ରଥମେ ରାସ୍ତା ମରାମତି ପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଥିଲେ। ଉଭୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ସଡକ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ଏଭଳି ଜିରୋ ଟଲରେନ୍ସ ଚେକିଂ ଆଗାମୀ ଦିନରେ ମଧ୍ୟ ଜାରି ରହିବ।