Odiapua.com

ଜିରାଗମ୍ଭୀର ଗ୍ରାମର ରାସ୍ତା, ଡ୍ରେନେଜ୍ ଓ ବିଦ୍ୟାଳୟର ସମସ୍ୟା ସ୍ଥିତି ପରଖିଲେ ବିଧାୟକ ସୀତାଂଶୁ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳର ବିକାଶ ଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ସତ, ହେଲେ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନ ଭାର ହାତରେ ରଖିଥିବା ବିଜେଡି ସରକାର ଭଦ୍ରକ ବ୍ଲକ୍ କାଉପୁର ଗ୍ରାମପଂଚାୟତ ଅଧୀନସ୍ଥ ଜିରାଗମ୍ଭୀର ଗ୍ରାମ ରାସ୍ତାର କିଭଳି ଉନ୍ନତି କରିଛନ୍ତି, ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ରାସ୍ତାଦେି ପ୍ରତିଦିନ ହଜାର ହଜାର ସ୍କୁଲ, କଲେଜ ଛାତ୍ରଙ୍କ ସହ ସାଧାରଣ ଜନତା ଯିବାଆସିବା କରିଥାନ୍ତି। କିନ୍ତୁ ଏହି ରାସ୍ତାଟିର ଅବସ୍ଥା ସହ ଏହି ଅଂଚଳର ଡ୍ରେନେଜ୍ ବ୍ୟବସ୍ଥା ନକହିବା ଭଲ। ସେହିଭଳି ବିଦ୍ୟାଳୟଟି ସମସ୍ୟା ଜର୍ଜରିତ ହୋଇ ପଡିରହିଛି। ତେବେ ଏ ସମସ୍ତ ଘଟଣାର ଖବର ପାଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆଜି ଉକ୍ତ ଗ୍ରାମରେ ପହଂଚି ଦୀର୍ଘଦିନ ଧରି ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତା, ଜଳନିଷ୍କାସନ ଓ ବିଦ୍ୟାଳୟର ସମସ୍ୟା ଗୁଡିକ ଉପରେ ସ୍ଥିତି ପରଖିଛନ୍ତି। ଏବଂ ଫୋନ୍ ମାଧ୍ୟମରେ ବିଭାଗୀୟଙ୍କ ଅଧିକାରୀଙ୍କ ସହିତ କଥାବାର୍ତା କରି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।