Odiapua.com

ଜିନ୍ଦଲ କାରଖାନାରୁ ନିର୍ଗତ ପୋଡା ତେଲରେ ସୁନା ନଦୀ ପ୍ରଦୂଷିତ, ପ୍ରଦୂଷଣ ବିଭାଗ ନିରବଦ୍ରଷ୍ଟା

ଯୋଡା – ୩୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରଦୂଷଣ ନିୟମକୁ କାରଖାନା କର୍ତ୍ତୁପକ୍ଷମାନେ ବେଖାତିର କରି ବାୟୁ, ଜଳ ପ୍ରଦୂଷିତ କରୁଥିବା ନଜୀର ଖଣି ଅଞ୍ଚଳରେ ବାରମ୍ବାର ଦେଖିବାକୁ ମିଳୁଛି । ଦେଓଝର ପଞ୍ଚାୟତ ଅନ୍ତର୍ଗତ ସିଆଳିଯୋଡା ଠାରେ ଅବସ୍ଥିତ ଜିନ୍ଦଲ କାରଖାନାରୁ ନିର୍ଗତ ପୋଡା ତେଲ କାରଖାନାର ଚତୁପାଶ୍ୱର୍ରେ ଅବସ୍ଥିତ ଚାଷ ଜମି ଗୁଡିକୁ ନଷ୍ଟ କରିବା ସହିତ ପୋଡା ତେଲ ମୁର୍ଗା ନାଳ ଦେଇ ଯୋଡାର ଜୀବନରେଖା କୁହାଯାଉଥିବା ସୁନା ନଦୀରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଥିବା ଦେଖିବାକୁ ମିଳିଛି । ଫଳରେ ଏହି ନଦୀ ଜଳ ଉପରେ ନିର୍ଭର କରୁଥିବା ଦୁଇଟି ପଞ୍ଚାୟତର ଶହ ଶହ ଗ୍ରାମବାସୀ ଏହି ପ୍ରଦୂଷିତ ଜଳ ବ୍ୟବହାର କରି ବିଭିନ୍ନ ଚର୍ମ ରୋଗରେ ପୀଡିଚ ହେଉଥିବା ନଜିର ରହିଛି । ଏହି ନଦୀ ଜଳକୁ ଗାଈ ଗୋରୁ ପିଇବା ଦ୍ୱାରା ବିଭିନ୍ନ ରୋଗାକ୍ରାନ୍ତ ହେଉଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହା ସହିତ ଏହି ପ୍ରଦୂଷଣ ଯୋଗୁଁ ନଦୀରେ ଶହ ଶହ ସଂଖ୍ୟ।।ର ମାଛ ମରି ଭାସୁଥିବାର ଦେଖିବାକୁ ମିଳୁଛି । ଜିନ୍ଦଲ କମ୍ପାନୀର ଏହି ମନମୁଖି କାର୍ଯ୍ୟକୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି । ଏ ନେଇ ସେମାନେ ପ୍ରଦୂଷଣ ବିଭାଗକୁ ଲିଖିତ ଅଭିଯୋଗ କରିବା ପରେ ପ୍ରଦୂଷଣ ବିଭାଗ ଏହା ତଦନ୍ତ କରି ଫେରିଯାଇଥିବା ଜଣାପଡିଛି । ତଥାପି କମ୍ପାନୀ ଏହାକୁ ଭୃକ୍ଷେପ ନକରି ଏହି ପୋଡା ତେଲ ଆଦିବାସୀମାନଙ୍କ ଜମିରେ ଛାଡିବା ଫଳରେ ସେମାନଙ୍କ ଫସଲ ନଷ୍ଟ ହେବା ସହ ସେମାନଙ୍କୁ କୌଣସି କ୍ଷୟ କ୍ଷତି ମିଳିପାରୁନଥିବା ଅଭିଯୋଗ ହୋଇଛି । କମ୍ପାନୀର ଏହି ମନମୁଖି କାର୍ଯ୍ୟକୁ ୱାର୍ଡ ମେମ୍ବର ଶିବ ମୁଣ୍ଡା ତୀବ୍ର ନିନ୍ଦା କରିବା ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଦୀର୍ଘ ୬ ମାସ ପୂର୍ବରୁ ଜିନ୍ଦଲ କାରଖାନାରୁ ଏହିପରି ତେଲମିଶ୍ରିତ ଜଳ ନିର୍ଗତ ହୋଇଆସୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କମ୍ପାନୀ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ଯାହା ଅଞ୍ଚଳବାସୀଙ୍କ ଅସନ୍ତୋଷର କାରଣ ପାଲଟିଛି । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏହି କମ୍ପାନୀ ଅତି ମାତ୍ରାରେ ଛାଡିଥିବା ଏହି ଜଳମିଶ୍ରିତ ପୋଡା ତେଲ ଗ୍ରାମବାସୀଙ୍କ ଚିନ୍ତାର କାରଣ ପାଲଟିଛି ବୋଲି ଗ୍ରାମର ବାରି ମୁଣ୍ଡା, ଲମ୍ବୋଦର ପାତ୍ର, ଚଞ୍ଚଲ ମୁଣ୍ଡା, ବୃନ୍ଦାବନ ଖିଲାର ପ୍ରମୁଖ ଅଭିଯୋଗ କରିଛନ୍ତି ।
ଏ ସଂକ୍ରାନ୍ତରେ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ସରତ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ତେଲ ମିଶ୍ରିତ ଜଳ କାରଖାନା ବାହାରକୁ ଆସିବା କଥା ନୁହେଁ । ଏହା କିପରି ଘଟିଛି ତାହା ତଦନ୍ତ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।