Odiapua.com

ଜାଲ୍ ଶିକ୍ଷକଙ୍କୁ ପଦୋନ୍ନତି ପ୍ରସଙ୍ଗ, ଅଭିଯୋଗକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାଲ୍ ଆବାସିକ ପ୍ରମାଣପତ୍ରରେ ଚାକିରୀ ହାତେଇଥିବା ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ମଧ୍ୟ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଶିକ୍ଷକଙ୍କୁ ପଦୋନ୍ନତି ମିଳିଥିଲା । ଶେଷରେ ଅଭିଯୋଗକାରୀ ଆଜି ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା କର୍ମୀ ବିକାଶ କୁମାର ଧଳଙ୍କ ହସ୍ତଗତ ତଥ୍ୟ ଅନୁଯାୟୀ ୨୦୦୫ ମସିହା ଜାନୁଆରୀ ୩ ତାରିଖରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ବାରିଆଲ ଟୁଡ଼ୁ ନାମକ ଜଣେ ବ୍ୟକ୍ତିଙ୍କୁ ସ୍ୱେଚ୍ଛାସେବା ସହାୟକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ପ୍ରଥମେ ବନ୍ତ ବ୍ଲକ ଆଗରପଡ଼ାସ୍ଥ ପୁରୁଷଣ୍ଢ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ । ପରବର୍ତ୍ତୀ ସମୟରେ ସେ ଉକ୍ତ ବିଦ୍ୟାଳୟ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ମାତ୍ର ସୂଚନା ଅଧିକାର ଆଇନ ବଳରେ ତାଙ୍କ ଚାକିରୀ ପ୍ରମାଣପତ୍ରର ସମସ୍ତ ତଥ୍ୟ ହସ୍ତଗତ ହେବା ପରେ ସେ ଜାଲ ଆବାସିକ ପ୍ରମାଣପତ୍ର ଦେଇ ଚାକିରୀ ପାଇଥିବା ଜଣାପଡ଼ିଥିଲା । ସେ ଚାକିରୀ ପାଇଁ ଆବେଦନ କରିଥିବା ସମୟରେ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତ ଅନୁଯାୟୀ ନିଜ ଜିଲ୍ଲାର ପ୍ରାର୍ଥୀହିଁ କେବଳ ଆବେଦନ କରିବା କଥା କିନ୍ତୁ ଶ୍ରୀ ଟୁଡ଼ୁ କେନ୍ଦୁଝର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ସ୍ଥଳେ ଭଦ୍ରକ ଜିଲ୍ଲାର ଏକ ଜାଲ ଆବାସିକ ପ୍ରମାଣପତ୍ର ପ୍ରଦାନ କରି ଚଂଚକତାର ସହ ଚାକିରୀକୁ ହାତେଇଥିଲେ ।

ଉକ୍ତ ଜାଲ ପ୍ରମାଣପତ୍ର ବଳରେ ସେ ଆଜକୁ ୧୬ ବର୍ଷ ଧରି ଚାକିରୀ କରି ଆସୁଛନ୍ତି । ତାଙ୍କ ବିରୁଦ୍ଧରେ ଏସଂପର୍କରେ ବିଧିବଦ୍ଧ ଅଭିଯୋଗ ଆସିବା ପରେ ବନ୍ତ ବ୍ଲକ ଶିକ୍ଷାଧିକାରୀ ନିଜ ପତ୍ରାଙ୍କ ୧୬୧୧/୦୯.୦୭.୨୦୨୧ ମୂଳେ ଅଭିଯୋଗର ତଦନ୍ତ ପାଇଁ ତାଙ୍କ ବିଭାଗର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ ଓ ଏପିଆଇଓ ଅଜୟ କୁମାର ପୃଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ତଦନ୍ତ ଅଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ ଶ୍ରୀ ଟୁଡ଼ୁ ନିଯୁକ୍ତିଦାତା(ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ)ଙ୍କ ଦ୍ୱାରା କାର୍ଯାନୁଷ୍ଠାନ ପରିସର ଭୂକ୍ତ ହେବା କଥା । କିନ୍ତୁ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁକମ୍ପା ଯୋଗୁଁ ତଦନ୍ତ କରିଥିବା ଦୁଇ ଅଧିକାରୀଙ୍କ ରିପୋର୍ଟ ଦାଖଲକୁ ୪ମାସ ବିତିଯାଇଥିଲେ ସୁଦ୍ଧା ଶ୍ରୀ ଟୁଡ଼ୁଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ । କାରଣ ଏହା ଜିଲ୍ଲା ଶିକ୍ଷାଧିକାରୀଙ୍କ ହସ୍ତଗତ ହୋଇ ନାହିଁ । ଅପରପକ୍ଷରେ ଶ୍ରୀ ଟୁଡ଼ୁଙ୍କୁ ପଦନ୍ନୋତି ଦେଇ ଶିକ୍ଷା ବିଭାଗ ଚର୍ଚ୍ଚାରେ ଅଛି । ଉପରୋକ୍ତ ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଗତ ମାସ ଯୋଗାଯୋଗ କରିବାରୁ ସେ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମେଲ ଯୋଗେ ପଠାଇଥିବା କହିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଆଜି ସୁଦ୍ଧା ଏହା ପାଇ ନଥିବା କହିଥିଲେ । ପୁନଶ୍ଛ ସୋମବାର ସୂଚନା କର୍ମୀ ବିକାଶ କୁମାର ଧଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ତହସିଲଦାରଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା କହିଥିଲେ । ତେଣୁ ତାଙ୍କ ନିର୍ଦ୍ଦେଶାନୁଯାୟୀ ବିଭାଗୀୟ ଅଧିକାରୀ ତଦନ୍ତ ପରେ ରିପୋର୍ଟ ପ୍ରଦାନ କରିଥିଲେ ସୁଦ୍ଧା ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତ ପୁନଶ୍ଛ ରିପୋର୍ଟକୁ ଅପେକ୍ଷା କରିବା ତାଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି ତେଣୁ ଶିକ୍ଷା ବିଭାଗର ଏହିପରି କାର୍ଯ୍ୟକଳାପ ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲୋଟି ଥିବା ବେଳେ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ସଂସ୍କାରର ପ୍ରୟାସ ପ୍ରହସନରେ ପରିଣତ ହୋଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।