Odiapua.com

ଜାରି ହେଲା ଅନ୍‌ଲକ୍ -୩ ଗାଇଡ୍ ଲାଇନ : ସପ୍ତାହାନ୍ତ ଶଟ୍‌୍‌ଡାଉନ ବଳବତ୍ତର, ଦୋକାନ ବଜାର ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲିବ : ରାତି ୭ରୁ ସକାଳ ୫ କର୍ଫ୍ୟୁ, ଚିହ୍ନଟ ହେଲେ ନୂଆ ଆଉ ୨୦ ଆକ୍ରାନ୍ତ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିଠାରୁ ଅନ୍‌ଲକ୍‌-୩ ଆରମ୍ଭ ହୋଇଛି । ଏଥିରେ ଜିଲ୍ଳା ପ୍ରଶାସନ ପକ୍ଷରୁ କେତେକ କଟକଣାକୁ କୋହଳ କରାଯାଇଥିବା ବେଳେ ଆଉ କେତେକ କଟକଣା ଅନ୍‌ଲକ-୨ ଭଳି ବଳବତ୍ତର ରହିଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ସପ୍ତାହାନ୍ତ ଶଟ୍‌ଡାଉନ ଶନିବାର ଓ ରବିବାରକୁ ବଳବତ୍ତର ରଖିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ ଜାରି ରହିବ । ଲକ୍‌ଡାଉନ ବେଳେ ସୋମବାରରୁ ଶୁକ୍ରବାର ଦୋକାନ ବଜାର, ସରକାରୀ ବେସରକାରୀ ସଂସ୍ଥା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହି ପାରିବ । ଏହା ବ୍ୟତୀତ ପୂର୍ବରୁ କଣ୍ଟେନମେଣ୍ଟଜୋନ ଗୁଡିକ ପାଇଁ ଯେଉଁ କଟକଣା ରହିଥିଲା ଅଗଷ୍ଟ ମାସରେ ମଧ୍ୟ କଣ୍ଟେମେଣ୍ଟଜୋନ ଗୁଡିକରେ ସମାନ କଟକଣା ବଳବତ୍ତର ରହିବ । ଏହା ବ୍ୟତୀତ ସରକାରଙ୍କ ନିଷ୍ପତି ଅନୁଯାୟୀ ମାସ୍କ ପିନ୍ଧୁ ନ ଥିବା ଲୋକମାନଙ୍କ ଠାରୁ ପ୍ରଥମ ଥର ପାଇଁ ୧ ହଜାର ଓ ପରବର୍ତ୍ତୀ ଥର ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ । ଦୋକାନୀମାନେ ସେମାନଙ୍କ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତା ମୂଳକ । ରେଷ୍ଟୁରାଣ୍ଟ ମାନଙ୍କରେ ୫୦ ପ୍ରତିଶତ ଆସନ ସଂଖ୍ୟାରେ ଲୋକଙ୍କୁ ଖାଇବାକୁ ଦିଆଯାଇ ପାରିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ବ୍ୟତୀତ ଲକ୍ ଡାଉନ ଓ ଶଟ୍ ଡାଉନ ବେଳେ ପେଟ୍ରେଲ ପମ୍ପ, ରାଜପଥ କଡର ଢାବା, ଟାୟାର ମରାମତି ଦୋକାନ ଖୋଲା ରହି ପାରିବ ବୋଲି କୁହାଯାଇଛି । ଜିଲ୍ଲାର ଦୃତ ସଂକ୍ରମଣକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

 

ଜିଲ୍ଲାରେ ପୁଣି ୨୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୭ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାର ସୁସ୍ଥଙ୍କ ସଂଖ୍ୟା ୫୧୮ ହୋଇଛି । ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ଭଦ୍ରକ ପୌରପାଳିକାର ୫ ନଂ ୱାର୍ଡ ଚରମ୍ପାର ଜନୈକ ବ୍ୟକ୍ତି ଭୁବନେଶ୍ୱରର କେୟାର ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ପୌରପାଳିକାର ୯ ନଂ ୱାର୍ଡ ଚାରିଘରିଆରୁ ଜଣେ ଓ ପିଡବ୍ଲୁଡି କଲୋନୀରୁ ଜଣେ, ୭ ନଂ ୱାର୍ଡ ଗବସାହି ମୋଟେଲ ଛକରୁ ୩ଜଣ, ୧୭ ନଂ ୱାର୍ଡ ବାଇପାସ୍ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ, ୧୧ ନଂ ୱାର୍ଡ ଅସ୍ତଳ ଗ୍ରାମରୁ ଜଣେ, ୩ ନଂ ୱାର୍ଡ ଚରମ୍ପା ରେଲୱେ କଲୋନୀରୁ ଜଣେ, ଧାମନଗର ବ୍ଲକ ଦୋବାଲ ପଞ୍ଚାୟତ ଶୋଧ ଗ୍ରାମରୁ ଜଣେ, ବୟାଙ୍ଗଡିହି ପଞ୍ଚାୟତ କମାରବନ୍ଧ ଗ୍ରାମରୁ ଜଣେ, ଧାମନଗର ଏନ୍‌ଏସି ଜୟନଗର ଗ୍ରାମରୁ ଜଣେ, ଶ୍ୟାମପୁର ଗ୍ରାମରୁ ଜଣେ (ଉତ୍ତରପ୍ରଦେଶ ଫେରନ୍ତା), ତିହିଡି ବ୍ଲକ କୋହ୍ଲ ଟିଏମ୍‌ସିରୁ ୬ଜଣ, ବନ୍ତ ବ୍ଲକ ଚାଇଁପୁର ଗ୍ରାମରୁ ଜଣେ (ହାଇଦ୍ରାବାଦ ଫେରନ୍ତା) ଚିହ୍ନଟ ହୋଇଛନ୍ତି ।