Odiapua.com

ଜାରିହେଲା ଅନ୍‌ଲକ-୨ ପାଇଁ ନୂଆ ନିୟମାବଳୀ : କେବଳ ରବିବାର ଶଟ୍‌ଡାଉନ, ନିୟମିତ ଦୋକାନ ବଜାର ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲା : ଆଇନ ଉଲଂଘନକାରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ

ଭଦ୍ରକ ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଠାରୁ ସମଗ୍ର ଦେଶରେ ଅନଲକ୍ -୨ ଆରମ୍ଭ ହୋଇଛି । ଏ ନେଇ ଲକଡାଉନ ନେଇ ରହିଥିବା କେତେକ କଟକଣାରେ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ ନିୟମାବଳୀ ଅନୁଯାୟୀ ଆଗାମୀ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସମସ୍ତ ପ୍ରକାର ସଭା ସମିତିକୁ ବନ୍ଦ ରଖାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ରାତ୍ରକାଳୀନ କର୍ଫ୍ୟୁକୁ ସନ୍ଧ୍ୟା ୭ରୁ ସକାଳ ୫ ପରିବର୍ତ୍ତେ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର କରିଥିବା ବେଳେ ରାଜ୍ୟ ସରକାର ସାମାନ୍ୟ ପରିବର୍ତ୍ତନ କରି ଏହାକୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାକୁ ଜୋନ -୧ ରେ ରଖି ସପ୍ତାହାନ୍ତ ଶଟଡାଉନ କଟକଣା ଭାବେ ପ୍ରତି ଶନିବାର ଏବଂ ରବିବାରକୁ ଶଟ୍‌ଡାଉନ ଘୋଷଣା କରିଥିଲେ । ମାତ୍ର ଭଦ୍ରକ ଜିଲ୍ଲାର କରୋନା ଆକ୍ଟିଭ କେଶ ୫୦ରୁ କମ୍ ହୋଇଥିବାରୁ ଆଜିଠାରୁ ଭଦ୍ରକ ଜିଲ୍ଲା ଜୋନ -୧ରୁ ଜୋନ -୨କୁ ଯାଇଛି । ଫଳରେ ପୂର୍ବ ସପ୍ତାହାନ୍ତ କଟକଣାକୁ ରାଜ୍ୟସରକାର ମୁକ୍ତ କରିଛନ୍ତି । ତେବେ ଜିଲ୍ଲାର ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏଥିରେ ପରିବର୍ତ୍ତନ କରି ସପ୍ତାହାନ୍ତ କଟକଣାକୁ ଗୋଟିଏ ଦିନ ପାଇଁ ଜାରି କରିଛନ୍ତି । ପ୍ରତି ରବିବାର ସକାଳ ୫ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ ସମଗ୍ର ଜିଲ୍ଳାରେ ଶଟ୍‌ଡାଉନ କଟକଣା ଜାରି ରହିବ । ଏଡାଛଡା ନିୟମିତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏ ସବୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । କେବଳ ଔଷଧ ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହି ପାରିବ । ଏହାବ୍ୟତୀତ ପୂର୍ବଭଳି ଜଳଖିଆ ଦୋକାନ ଏବଂ ହୋଟେଲ ଗୁଡିକ ଖାଦ୍ୟ ପାର୍ସଲ କରି ବିକ୍ର କରିପାରିବେ । ସେଲୁନ ମାନଙ୍କରେ ଉପଯୁକ୍ତ ସାନିଟାଇଜର ଏବଂ ସାମାଜିକ ଦୂରତ୍ୱ ରକ୍ଷା କରି ଖୋଲାଯାଇ ପାରିବ । ବିବାହ ବ୍ରତ ଉତ୍ସବ ୫୦ଜଣ ଏବଂ ସଂସ୍କାର କର୍ମ ୨୦ଜଣରେ ସୀମିତ ରହିବ । ଚାରିଚକିଆ ଯାନ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯିବା ନିମନ୍ତେ କୌଣସି ଅନୁମତିର ଆବଶ୍ୟକତା ନାହିଁ ।

 

 

ବାହାରକୁ ବାହାରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର କରିବା ବାଧ୍ୟତା ମୂଳକ । ଦୋକାନ, ମଲ ମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା କରି କିଣାବିକା କରାଯିବ, ଏହାର ଉଲଂଘନ ହେଲେ କୋବିଡ଼ ଆଇନ ଅନୁଯାୟୀ ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥି ପାଇଁ ପୌରପାଳିକା ସମେତ ପ୍ରତି ତହସିଲ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଭଦ୍ରକ ପୌରପାଳିକା ନିମନ୍ତେ ତହସିଲଦାର ଜ୍ୟୋତିବିକାଶ ଦାଶ, ଆଇଆଇସି ଚନ୍ଦନ ଘଡେଇ, ଆଇଆଇସି ଗଣେଶ ପ୍ରଧାନ, ରୁରାଲ ଲେବର ଇନିସ୍ପେକ୍ଟର ସୁନନ୍ଦ ବିଶ୍ୱାଳ । ଭଦ୍ରକ ଗ୍ରାମାଞ୍ଚଳ ପାଇଁ ଅତିରିକ୍ତ ତହସିଲଦାର ଦୀପ୍ତିରଂଜନ ଜେନା, ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର, ରୁରାଲ ଲେବର ଇନିସ୍ପେକ୍ଟର ରତ୍ନାକର ମଲ୍ଲିକ । ବାସୁଦେବପୁର ତହସିଲ ଅଞ୍ଚଳ ପାଇଁ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ଆଇଆଇସି ପ୍ରଦୀପ ମାଝି ଏବଂ ଆଇଆଇସି ଉମାଶଙ୍କର ନାୟକ । ଭଣ୍ଡାରିପୋଖରୀ ତହସିଲ ପାଇଁ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ଏବଂ ଆଇଆଇସି ସନାତନ ସାହୁ । ବନ୍ତ ତହସିଲ ଅଞ୍ଚଳ ପାଇଁ ତହସିଲଦାର ଇନ୍ଦିରା ସାହୁ, ଆଇଆଇସି ମୀନା ବିନ୍ଧାଣି ଓ ଆଇଆଇସି ସୁକାନ୍ତୀ କେରେଇ । ଚାନ୍ଦବାଲି ତହସିଲ ପାଇଁ ତହସିଲଦାର ସୁଶାନ୍ତ କୁମାର ସୂତାର ଓ ଆଇଆଇସି ପ୍ରଜ୍ଞା ମହାନ୍ତିି । ଧାମନଗର ତହସିଲ ଅଞ୍ଚଳ ପାଇଁ ତହସିଲଦାର ରାଧାକାନ୍ତ ବାରିକ, ଆଇଆଇସି ରତିକାନ୍ତ ଗିରି ଓ ଆଇଆଇସି ପ୍ରଫୁଲ୍ଲ କୁମାର ସିଂ । ତିହିଡ଼ି ତହସିଲ ଅଞ୍ଚଳ ପାଇଁ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଆଇଆଇସି ରମେଶ ଚନ୍ଦ୍ର ସିଂ ସ୍ୱତନ୍ତ୍ର ସ୍କ୍ୱାର୍ଡରେ ରହିଛନ୍ତି । ଜନସାଧାରଣ କୋବିଡ଼ ଆଇନକୁ ପାଳନ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ଆବଶ୍ୟକ ନଥିଲେ ଘରୁ ନ ବାହାରିବା, କର୍ଫ୍ୟୁ ସମୟରେ ସମ୍ପୂର୍ଣ୍ଣ ଭାବେ ଘରେ ରହିବା, ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳାମାନେ ନିଶ୍ଚିତ ଘରେ ରହିବାକୁ ଜିଲ୍ଲାପାଳ ଡ. ଦାସ ଅନୁରୋଧ କରିଛନ୍ତି ।