Odiapua.com

ଜାନୁୟାରୀ ୧୨ରେ ଭଦ୍ରକ ଜିଲ୍ଲା ସ୍ତରୀୟ ନୂଆ-ଓ ଉତ୍ସବ, ୧୦ ହଜାର କଲେଜ ପିଲାଙ୍କ ସମାବେଶ ପାଇଁ ବିଶାଳ ଆୟୋଜନ, ଜିଲ୍ଲା ସ୍ତରୀୟ କମିଟିର ପ୍ରଥମ ପ୍ରାକ୍ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଡିସେମ୍ବର-୨୩ ଓ ଜାନୁଆରୀ-୨୪ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳିତ ହେବାକୁ ଯାଉଥିବା ନୂଆ-ଓ ଉତ୍ସବ ଭଦ୍ରକ ଜିଲ୍ଲାରେ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ କମିଟିର ପ୍ରଥମ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସି.ଡି.ଓ. ସରୋଜ କୁମାର ଦର, ସି.ଡି.ଏମ୍‌.ଓ. ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ମତାମତ ଉପସ୍ଥାପନ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ଆଗାମୀ ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଏହି ଜିଲ୍ଲା ସ୍ତରୀୟ ନୂଆ-ଓ ଉତ୍ସବ ଆୟୋଜନ କରାଯିବ । ଜିଲ୍ଲାରେ ଥିବା ପ୍ରାୟ ୯୦ଟି କଲେଜରୁ ୧୦ ହଜାର ସଂଖ୍ୟକ ପିଲା ଏହି ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପିଲାଙ୍କ ଯାତାୟତ ପାଇଁ ପ୍ରାୟ ୨୦୦ ପାଖାପାଖି ବସ୍ ନିୟୋଜିତ କରାଯିବ ।

ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନାରେ ବିଭିନ୍ନ କଲେଜରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରୁ ବଛା ବଛା ପ୍ରତିଭା ଓ ଦଳଙ୍କ ମଧ୍ୟରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା କରାଯାଇ ଯୋଗ୍ୟ ଦଳ ମାନଙ୍କୁ ଜିଲ୍ଲା ସ୍ତରୀୟ ଉତ୍ସବରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ । ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତ ଥିବା ମୋଟିଭେସନାଲ ସ୍ପିକର, ସାଂସ୍କୃତିକ ଦଳ ଆଦିଙ୍କ ପରିବେଷଣ ଜରିଆରେ ପିଲାମାନଙ୍କୁ ଉଦ୍‌ବୁଦ୍ଧ କରାଯିବା ନେଇ ମଧ୍ୟ ପ୍ରସ୍ତାବ ରହିଛି । ଏହି ଦିନିକିଆ ଉତ୍ସବ ସକାଳ ୯ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଆୟୋଜିତ ହେବ । ନୃତ୍ୟ, ସଂଗୀତ ବ୍ୟତୀତ ଆନୁସାଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ଉଭେଣ୍ଟ ମ୍ୟାନେଜରଙ୍କ ଦ୍ୱାରା ମଞ୍ଚ, ଅଡିଟୋରିଅମ୍ ଆଦି ବ୍ୟବସ୍ଥା ସହିତ ଜିଲ୍ଲା ପ୍ରଶାସନ ତରଫରୁ ସଚେତନା ଉଦ୍ଦେଶ୍ୟରେ ସଂପୃକ୍ତ ବିଭାଗୀୟ ପ୍ରଦର୍ଶନୀ ମଣ୍ଡପ ଖୋଲାଯିବ । ସମସ୍ତ ପିଲା, ନିୟୋଜିତ କର୍ମଚାରୀ ମାନଙ୍କ ଜଳଯୋଗ, ମଧ୍ୟାହ୍ନ ଭୋଜନ ଉଦ୍ଦେଶ୍ୟରେ ୫୦ରୁ ଉର୍ଦ୍ଧ୍ୱ ଖାଦ୍ୟ ଷ୍ଟଲ ପାଇଁ ବ୍ୟବସ୍ଥା ରହିବ । ୨୦୦ ବସ୍ ସହିତ ୧୦୦ ପାଖାପାଖି ବିଭିନ୍ନ ବିଭାଗୀୟ ୪ ଚକିଆ ଯାନର ପାର୍କିଂ ତଥା ଏହି ବିଶାଳ ଆୟୋଜନ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଦ୍ୱାରା କ୍ଷେତ୍ର ପରିଦର୍ଶନ ପରେ ସ୍ଥାନ ନିରୂପଣ କରାଯିବା ନେଇ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ଏ.ପି.ଡି. ପ୍ରହ୍ଲାଦ ରଣା, ଡି.ଏସ୍‌.ପି. ଡି.ଆଇ.ବି କମଳ ଲୋଚନ ଭୂୟାଁ, ଡି.ଏସ୍‌.ଡବ୍ଲ୍ୟୁ.ଓ. ପୁଷ୍ପଲତା ପାତ୍ର, ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସଂସ୍କୃତି ଅଧିକାରୀ ତନୁଜା ସିର୍କା, କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଡି.ପି.ସି. ଅଭିକ୍ ନାରାୟନ୍‌, ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।