ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନୂଆନଈ ପୋଲ ଉପରେ ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳକୁ ଏକ ଟ୍ରକ ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି। ଡ୍ରାଇଭର୍ ଓ ହେଲପର୍ ଏହି ଦୁର୍ଘଟଣାରୁ ବର୍ତି ଯାଇ ସାମାନ୍ୟ ଆହତ ହୋଇଛନ୍ତି। ଖଣିଜ ଲୌହ ବୋଝେଇ ୧୪ଚକିଆ ଟ୍ରକ(ଓଡି ୨୧ଜି ୪୦୪୦)ଟି ସ୍ଥାନୀୟ କେନାଲ ପୋଲ ବାଡାରେ ଧକ୍କା ଦେଇ ଓଲଟି ପଡ଼ିବା ପରେ ଯାନ୍ତ୍ରିକ ତ୍ରୁଟିରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ୍ ଓ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ। ଟ୍ରକଟି ଦୈତାରୀ ଖଣି ଅଂଚଳରୁ ଲୁହାପଥର ବୋଝେଇ କରି ଖଡ଼ଗପୁର ଅଭିମୁଖେ ଯାଉଥିଲାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏଥିଯୋଗୁଁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟତ ଓ ଗାଡି ଚଳାଚଳ ବନ୍ଦ ରହିଥିଲା।