Odiapua.com

ଜାତୀୟ ରଗବି ପାଇଁ ଧାମନଗରର ସ୍ୱପ୍ନାରାଣୀ ମନୋନୀତ

ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ପାଧାନୀ ପଂଚାୟତ କଂଟିଦୋଳ ଗ୍ରାମର ଯୁବ ରଗବି ଖେଳାଳି ସ୍ୱପ୍ନାରାଣୀ ବେହେରା ଜାତୀୟସ୍ତରୀୟ ୧୮ ବର୍ଷରୁ କମ୍ ବାଳିକା ରଗବି ଫୁଟବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି। ତାଙ୍କ ସଫଳତାକୁ ନେଇ ଧାମନଗର ସମେତ ଭଦ୍ରକ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଭଦ୍ରକ ଜିଲ୍ଲା ରଗବି ଫୁଟବଲ ଏସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚୟନ ପାଇବା ପରେ ସ୍ୱପ୍ନାରାଣୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ଯୋଗଦେଇଥିଲେ। ସେଠାରେ ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ଆମ ଓଡ଼ିଶା ରଗବି ଫୁଟବଲ ଏସୋସିଏସନ ତାଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ମନୋନୀତ କରିଛି। ଜୁଲାଇ ୬ ଓ ୭ ତାରିଖରେ ହାଇଦ୍ରାବାଦର ୱକ୍ସସେନ ୟୁନିଭର୍ସିଟି ଷ୍ଟାଡିୟମରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ସେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଜଣେ କୃଷକ ପରିବାରର କନ୍ୟା ସ୍ୱପ୍ନାରାଣୀ ନିଜର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତର ଅତିକ୍ରମ କରି ଜାତୀୟ ସ୍ତରରେ ପହଂଚିଛନ୍ତି। ତାଙ୍କ ସଫଳତା କଣ୍ଟିଦୋଳ ଗ୍ରାମ ସହ ଧାମନଗର ଅଂଚଳ ପାଇଁ ଗର୍ବର ବିଷୟ ପାଲଟିଛି। ଏହି ସଫଳତା ପାଇଁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ଭଦ୍ରକ ଜିଲ୍ଲା ରଗବି ଫୁଟବଲ ଏସୋସିଏସନର ସଭାପତି କୈଳାଶ ମହାପାତ୍ର, ସମ୍ପାଦକ ଶ୍ରୀଧର ମହାଳିକ, କୋଷାଧ୍ୟକ୍ଷ ଲକ୍ଷ୍ମଣ ନାୟକଙ୍କ ସମେତ ସଂଘର କର୍ମକର୍ତାମାନେ ସ୍ୱପ୍ନାରାଣୀଙ୍କ ଉଜ୍ଜ୍ୱଳ ସଫଳତା କାମନା କରିଛନ୍ତି।