Odiapua.com

ଜାତୀୟ ବ୍ରଡ଼ବ୍ୟାଣ୍ଡ ମିଶନର ଶୁଭାରମ୍ଭ : ୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ

– ଲୋକଙ୍କ ଆଶା ପୂରଣ କରିବ ଏହି ମିଶନ
– ଡିଜିଟାଲ ସଂଚାର ଭିତିଭୂମିରେ ଆସିବ ଦ୍ରୁତ ଉନ୍ନତି
– ଡିଜିଟାଲ ସଶକ୍ତିକରଣ ଜରିଆରେ ବିଭାଜନ ଦୂର ହେବ

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) କେନ୍ଦ୍ର ସଂଚାର, ଆଇନ ଓ ନ୍ୟାୟ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦଙ୍କ ଦ୍ୱାରା ଆଜି ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନବିଏମ)ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରସାଦ କହିଥିଲେ ଯେ ଏହି ମିଶନ ଜନସାଧାରଣଙ୍କ ସମସ୍ତ ଆଶାଆକାଂକ୍ଷାକୁ ପୂରଣ କରିବା ସହିତ ଦେଶରେ ଡିଜିଟାଲ ସଂଚାର ଭିତିଭୂମିରେ ଦ୍ରୁତ ପ୍ରଗତି ଆଣିବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂଚାର, ମାନବ ସମ୍ବଳ ବିକାଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ, ଦୂରସଂଚାର ସଚିବ ଅଂଶୁ ପ୍ରକାଶ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦୂରସଂଚାର ଉଦ୍ୟୋଗର ବହୁସଂଖ୍ୟକ ପ୍ରତିନିଧି, ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଏବଂ ବିଭିନ୍ନ ରାଜ୍ୟ ସରକାର ଓ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ରବିଶଙ୍କର ପ୍ରସାଦଙ୍କ ଦ୍ୱାରା ଏନବିଏମର ଲୋଗୋ ଏବଂ ଏକ ବୁକଲେଟ ଉନ୍ମୋଚନ କରାଯାଇଥିଲା।

ଏନବିଏମର ଲକ୍ଷ୍ୟ ହେଉଛି ଡିଜିଟାଲ ସଂଚାର ଭିତିଭୂମିରେ ଦ୍ରୁତ ଉନ୍ନତି ଆଣିବା, ଡିଜିଟାଲ ବିଭାଜନ ଦୂର କରିବା, ସମସ୍ତଙ୍କୁ ଡିଜିଟାଲ ସଶକ୍ତିକରଣ ଓ ଅନ୍ତର୍ଭୂକ୍ତିକରଣ ସୁବିଧା ସହିତ ଶସ୍ତା ଓ ସର୍ବବ୍ୟାପୀ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା। ସର୍ବବ୍ୟାପକତା, ସୁଲଭତା ଓ ଗୁଣବତା-ଏହି ତିନୋଟି ନୀତି ଉପରେ ବିଶେଷ ଗୁୁରୁତ୍ୱାରୋପ କରାଯାଇ ମିଶନର ଅଧିକାଂଶ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା:

– ୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ
– ସାରା ଦେଶରେ, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ ଇଲାକାରେ ସମସ୍ତଙ୍କୁ ସର୍ବବ୍ୟାପୀ ଓ ସମାନ ବ୍ରଡବ୍ୟାଣ୍ଡ ସେବା ଯୋଗାଣ
– ୨୦୨୪ ସୁଦ୍ଧା ୩୦ ଲକ୍ଷ କିମି ଅତିରିକ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଓ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଟାୱାର ଘନତ୍ୱକୁ ୦.୪୨ରୁ ୧.୦କୁ ବୃଦ୍ଧି କରିବା
– ମୋବାଇଲ ଓ ଇଂଟରନେଟ ସେବାର ଗୁଣବତା ବୃଦ୍ଧି କରିବା
– ରାଇଟ ଅଫ ୱେ (ଆରଓଡବ୍ଲୁ) ପାଇଁ ଅଭିନବ କାର୍ଯ୍ୟକାରୀ ମଡେଲ ବିକଶିତ କରିବା ଏବଂ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଲାଗି ଆବଶ୍ୟକ ପଡ଼ୁଥିବା ଆରଓଡବ୍ଲ୍ୟୁ ଅନୁମୋଦନ ସମେତ ଡିଜିଟାଲ ଭିତିଭୂମି ବୃଦ୍ଧି ପାଇଁ ନୀତି ପ୍ରଣୟନ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରିବା
– ଡିଜିଟାଲ ସଂଚାର ଉପଲବ୍ଧତା ଆକଳନ କରିବା ଲାଗି ବ୍ରଡବ୍ୟାଣ୍ଡ ଉପଲବ୍ଧତା ସୂଚକାଙ୍କ (ବିଆରଆଇ) ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ମଧ୍ୟରେ ଅନୁକୂଳ ନୀତି ପରିସଂସ୍ଥାନ ବିକଶିତ କରିବା
– ଦେଶବ୍ୟାପୀ ଅପ୍ଟିକାଲ ଫାଇବର କେବୁଲ ଓ ଟାୱାର ସମେତ ଡିଜିଟାଲ ସଂଚାର ନେଟୱର୍କ ଓ ଭିତିଭୂମିର ଏକ ଡିଜିଟାଲ ଫାଇବର ମ୍ୟାପ ସୃଷ୍ଟି।
– ସାର୍ବଜନୀନ ସେବା ଉତରଦାୟିତ୍ୱ ପାଣ୍ଠିରୁ ୭୦ ହଜାର କୋଟି ଟଙ୍କା ସମେତ ଅଂଶୀଦାରଙ୍କ ଠାରୁ ୭ ଲକ୍ଷ କୋଟି ଟଙ୍କାର ନିବେଶ
– ଡିଜିଟାଲ ଭିତିଭୂମି ଓ ସେବା ସୃଷ୍ଟି ଏବଂ ସମ୍ପ୍ରସାରଣ ଲାଗି ଆବଶ୍ୟକ ନୀତିଗତ ଓ ନିୟାମକ ପରିବର୍ତ୍ତନ ନିମନ୍ତେ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ, ସଂସ୍ଥା ଓ ଅର୍ଥ ମନ୍ତ୍ରଣାଳୟ ସମେତ ସମସ୍ତ ଅଂଶୀଦାରଙ୍କ ସହିତ କାର୍ଯ୍ୟ କରିବା, ଯାହା ମିଶନରେ ନିବେଶ ପାଇଁ ସହାୟକ ହେବ।

ସୂଚନାଯୋଗ୍ୟ ଯେ ୨୦୧୪ ତୁଳନାରେ ୨୦୧୯ରେ ଦେଶରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩୦%, ଇଂଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୧୬୫%, ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସଂଖ୍ୟା ୫୩୦%, ଟେଲି ଘନତ୍ୱ ୨୦%, ଗ୍ରାମୀଣ ଟେଲି ଘନତ୍ୱ ୩୧%, ଡାଟା ଉପଯୋଗ ୧୧୨୦% ବୃଦ୍ଧି ପାଇଛି।