Odiapua.com

ଜାତୀୟ ପୁରସ୍କୃତ ଆଦର୍ଶ ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପଧାନପତା ଗ୍ରାମ ପଂଚାୟତ ଅନ୍ତର୍ଗତ ବନବିହାରୀ ସରକାରୀ ଉ. ପ୍ରା. ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପୁରସ୍କୃତ ଆଦର୍ଶ ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ପିସିସି ସଭାପତି ଓ ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ଶିକ୍ଷାବିତ୍ ସୁଧାଂଶୁ ନାୟକଙ୍କ ସହିତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ଶିକ୍ଷକ-ଶିକ୍ଷୟତ୍ରୀ ଓ ପ୍ରିୟ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ସମସ୍ତଙ୍କ ହାତରୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଶ୍ରୀ ପୃଷ୍ଟି ଙ୍କୁ ସମ୍ମାନିତ କରାଯାଇଥିଲା। ଏହା କେବଳ ଏକ ସମ୍ମାନ ନୁହେଁ, ବରଂ ତାଙ୍କର ଦୀର୍ଘଦିନର ନିଷ୍ଠା, ପରିଶ୍ରମ ଓ ଶିକ୍ଷା ପ୍ରତି ଅପାର ଭଲପାଇବାର ଏକ ସ୍ୱୀକୃତି। ତାଙ୍କର ଶିକ୍ଷାଦାନ କେବଳ ପାଠପୁସ୍ତକରେ ସୀମିତ ନ ଥିଲା ସେ ଗଢ଼ିଥିଲେ ଚରିତ୍ର, ସୃଷ୍ଟି କରିଥିଲେ ସ୍ୱପ୍ନ, ଓ ପ୍ରେରଣା ଦେଇଥିଲେ ଏକ ସୁନ୍ଦର ଭବିଷ୍ୟତର। ଏହି ଅବସରରେ ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ— ଏକ ଭଲ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ସେ ଜୀବନ ଗଢ଼ନ୍ତି। ଶ୍ରୀ ପୃଷ୍ଟି ଙ୍କ ଅବଦାନ ଆମ ସମାଜ ପାଇଁ ସଦା ସ୍ମରଣୀୟ ହୋଇ ରହିବ। ଏମିତି ଜଣେ ଆଦର୍ଶ ଶିକ୍ଷକଙ୍କୁ ଶତ ଶତ ନମନ ଓ ତାଙ୍କର ଅବସର ଜୀବନ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧିମୟ ହେଉ ବୋଲି ଆମର ଅଭିଲାଷା।