Odiapua.com

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ- ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତମାଖୁ ସେବନ ଜନିତ କୁପ୍ରଭାବରୁ ଧନ, ଜୀବନ ଓ ସ୍ୱାସ୍ଥ୍ୟ ଜନିତ କ୍ଷୟକ୍ଷତିରୁ ଜନଜୀବନକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରଣୀତ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଆଜି ଅପରାହ୍ଣରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ନୋଡାଲ ଅଧିକାରୀ ଡା. ଜୟନ୍ତ କୁମାର ପଣ୍ଡା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏସ୍‌.ଏମ୍‌.ଓ. ଅର୍ଚ୍ଚନା ଗାଏନ୍‌, ଅନ୍ୟ ଡାକ୍ତର, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଦୃଶ୍ୟ ଫଳକ ଜରିଆରେ ତମାଖୁ ସେବନ ନିୟନ୍ତ୍ରଣ ପାଇଁ ସଚେତନତା, ଆଇନଗତ କାର୍ଯ୍ୟାନୁଷ୍ଠାନ, ତମାଖୁ ସେବନ ଜନିତ ଦୁରାରୋଗ୍ୟ, ତମାଖୁ ନିୟନ୍ତ୍ରଣ ପାଇଁ ସଂପୃକ୍ତ ବିଭାଗୀୟ କାର୍ଯ୍ୟପନ୍ଥା ଆଦି ସମ୍ବନ୍ଧରେ ବୈଠକରେ ଉପସ୍ଥାପନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ କି ୨୦୦୭-୦୮ ବର୍ଷରେ ଏକାଦଶ ପଞ୍ଚବାର୍ଷିକ ଯୋଜନା କାଳରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

ତମାଖୁ ସେବନ ଜନିତ କୁପ୍ରଭାବ ସମ୍ବନ୍ଧରେ ସଚେତନତା ଏବଂ ତମାଖୁ ନିୟନ୍ତ୍ରଣ ଆଇନ୍ ଓ ତାର କାର୍ଯ୍ୟକାରୀତା ଉଦ୍ଦେଶ୍ୟରେ ପ୍ରଣୀତ ଏହି କାର୍ଯ୍ୟକ୍ରମକୁ ପ୍ରଥମ ଦଫାରେ ଦେଶର ୨୧ଟି ରାଜ୍ୟରେ ୪୨ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିଲା ବେଳେ ଦ୍ୱିତୀୟ ଦଫାରେ ୨୦୧୧ରେ ଓଡ଼ିଶାର ଖୋର୍ଦ୍ଧା ଓ କଟକ ଜିଲ୍ଲା ଏବଂ ୨୦୧୭ରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଜନିତ ବିଭିନ୍ନ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା । ସମସ୍ତ ସ୍କୁଲରେ ତମାଖୁମୁକ୍ତ ସ୍କୁଲ ମାର୍ଗଦର୍ଶିକାକୁ ଅନୁପାଳନ କରିବା, ସମସ୍ତ ସ୍କୁଲ ହତାକୁ ତମାଖୁ ମୁକ୍ତ ରଖିବା, ତମାଖୁ ସେବନ ଜନିତ ଭୟାବହତା ଓ କ୍ଷତିସାଧନ ବିଷୟ ନେଇ ସ୍କୁଲ ମାନଙ୍କରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସ୍ଲୋଗାନ ଆଦି ପ୍ରତିଯୋଗିତା ଆୟୋଜନ କରିବା, ବିଦ୍ୟାଳୟ ହତା ସୀମାରୁ ୧୦୦ ଗଜ ଦୂର ମଧ୍ୟରେ ତମାଖୁ ଉତ୍ପାଦନ ସାମଗ୍ରୀ ବିକ୍ରୟ କେନ୍ଦ୍ର ନରହିବା, ଥିଲେ ନିକଟସ୍ଥ ଥାନାକୁ ସୂଚନା ଦେବା, ସାଧାରଣ ପରିବହନ ବ୍ୟବସ୍ଥାରେ ନିୟୋଜିତ ବସ୍ ଓ ଅନ୍ୟ ଯାନବାହନ ଆଦି ତମାଖୁ ଓ ଧୂମ୍ରପାନ ମୁକ୍ତ ରଖିବା ସହ ରାଜ୍ୟ ପରିବହନ ବସ୍ ମାନଙ୍କରେ ତମାଖୁ ଜନିତ ବିଜ୍ଞାପନକୁ ସ୍ଥାନ ନଦେଇ ତମାଖୁ ସେବନ ନିଷେଧ ଜନିତ ବାର୍ତ୍ତାକୁ ପ୍ରଚାର ପାଇଁ ପଦକ୍ଷେପ ନେବା, ଚେକ୍‌ଗେଟ୍ ମାନଙ୍କରେ ଅବୈଧ ତମାଖୁ ପ୍ରବେଶ କରାଇ ନଦେବା, ଅନୈତିକ ବ୍ୟବସାୟ କରୁଥିବା ତମାଖୁ ଶିଳ୍ପକୁ ବନ୍ଦ କରାଯିବା, ତମାଖୁ ଉତ୍ପାଦନକାରୀ କୃଷକ ମାନଙ୍କୁ ଅନ୍ୟ କୃଷି ବା ଅନ୍ୟ ଜୀବନ ଜୀବିକା ଆପଣାଇବା ପ୍ରତି ପ୍ରୋତ୍ସାହନ ଯୋଗାଇଦେବା ଆଦି ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।