ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ୍ ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଶେଷ କରି ଧରପଗଡ଼କାରୀ ମାନଙ୍କ ଉପଲକ୍ଷେ ତାଲିମ୍ ପ୍ରଦାନ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର କେରକେଟା, ଡ଼ି.ପି.ଏଚ୍.ଓ ଡା ଭାରତୀ ରାଉତ, ତାଲିମ ପ୍ରଦାନ ପାଇଁ ରାଜ୍ୟ ସ୍ତରରୁ ଆସିଥିବା ଡା ଗିରିଜା ଶଙ୍କର ପଣ୍ଡା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ତମାଖୁ ନିୟନ୍ତ୍ରଣ ନେଇ ଭଦ୍ରକ ଜିଲ୍ଲାରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦିଆଯିବା ପ୍ରସଙ୍ଗରେ ୨୦୨୨ରେ ୬ ମାସ ମଧ୍ୟରେ ୧୦ଟି ଜାଗାରେ ଧରପଗଡ଼ କରାଯାଇ ସମୁଦାୟ ୧୩୯ ଜଣ ଦୋକାନୀଙ୍କ ଠାରୁ ୨୫, ୬୫୦ ଟଙ୍କା ଜରିମାନା ଆଦାୟ କରାଯିବା ନେଇ ପ୍ରକାଶ କରାଯାଇଥିଲା। ସୂଚନା ଯୋଗ୍ୟକି ତମାଖୁ ସେବନରେ ଭାରତରେ ହାର ୨୯% ଥିଲାବେଳେ ଓଡ଼ିଶାରେ ୪୫% ଏବଂ ଭଦ୍ରକ ଜିଲ୍ଲାରେ ପରୁଷଙ୍କ ହାର ୫୯.୮ % ଓ ମହିଳାଙ୍କ ହାର ୩୪.୧ % ଥାଇ ଭଦ୍ରକ ଜିଲ୍ଲା ଓଡ଼ିଶାରେ ୪ର୍ଥ ସ୍ଥାନରେ ଅଛି। ତେଣୁ ଏହି ଜିଲ୍ଲାରେ ତମାଖୁ ସେବନ ହାର କମାଇବା ପାଇଁ ଧରପଗଡ଼କୁ ଅଧିକ ସକ୍ରିୟ କରାଯିବା ସହ ସଚେତନତାର ଆବଶ୍ୟକତା ଅଛି ବୋଲି କୁହାଯାଇଥିଲା।
ପ୍ରଶିକ୍ଷକ ଶ୍ରୀଯୁକ୍ତ ପଣ୍ଡା ତମାଖୁ ନିୟନ୍ତ୍ରଣ ଆଇନ୍ ସମ୍ବନ୍ଧରେ ପୁଙ୍ଖାନୁ ପୁଙ୍ଖ ବ୍ୟାଖ୍ୟା କରିବା ସହିତ ଧରପଗଡ଼ ପାଇଁ ଆଇନ୍ ର ବିଭିନ୍ନ ଧାରା ଉପଧାରା ଓ ଜରିମାନା ସମ୍ବନ୍ଧରେ ବୁଝାଇଥିଲେ। ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଧ, ନାବାଳକକୁ ଏବଂ ନାବାଳକ ଦ୍ୱାରା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ନିଷେଧ, ଶିକ୍ଷାନୁଷ୍ଠାନ ରୁ ୧୦୦ ମିଟର ଦୂରତା ମଧ୍ୟରେ ତମାଖୁଦ୍ରବ୍ୟ ବିକ୍ରୟ ନିଷେଧ, ପ୍ରତି ତମାଖୁ ଉତ୍ପାଦରେ ସ୍ୱାସ୍ଥ୍ୟ ସତର୍କତା ଜନିତ ସୂଚନା ରହିବା ବାଧ୍ୟତାମୂଳକ ଆଦି ସଂପୃକ୍ତ ବିଷୟାବଳୀ ଉପରେ ଆଲୋଚନା କରାଯାଇଥିଲା। ତମାଖୁ ଜାତୀୟ ଦ୍ରବ୍ୟ, ବିକ୍ରୟ ହେଉଥିବା ଦୋକାନ ଗୁଡ଼ିକରେ “ନାବାଳକ ମାନଙ୍କୁ ତମାଖୁ ଦ୍ରବ୍ୟ ବିକ୍ରୟ ନିଷେଦ୍ଧ” ଲେଖା ସାଇନବୋର୍ଡ଼ ଲଗାଯାଇ ନଥିଲେ ଧରପଗଡ଼କାରୀମାନେ ଚଢ଼ଉ କରି ଏପରିକି ପ୍ରତିଦିନ ୨୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ। ତମାଖୁ ସେବନ ମାନବ ଶରୀର ପ୍ରତି କେମିତି କ୍ଷତିକାରକ ଦୃଶ୍ୟ ଫଳକ ଜରିଆରେ ସାଧାରଣ ଖାଦ୍ୟନଳୀ, ତମାଖୁ ପ୍ରଭାବିତ ଖାଦ୍ୟନଳୀ, ସାଧାରଣ ଓ ପ୍ରଭାବିତ ଫୁସ୍ଫୁସ୍, ତମାଖୁ ଯୋଗୁଁ ସୃଷ୍ଟି କ୍ୟାନସର ବିଶେଷ କରି ମୁଖଗହ୍ୱର କ୍ୟାନସର ର ଭୟାବହତା ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଏପିଡ଼େମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଡ୍ରଗ୍ ଇନିସ୍ପେକ୍ଟର ଜ୍ଞାନନ୍ଦା ନନ୍ଦ, ଏ.ଏସ.ପି ଅବକାରୀ ଅନିତା ପ୍ରଧାନ, ଏ.ଡ଼ି.ଇ.ଓ ଦୀପକ କୁମାର ପାଢ଼ୀଙ୍କ ସମେତ ଜିଲ୍ଲାର ସମସ୍ତ ଥାନାର ସଂପୃକ୍ତ ପୋଲିସ୍ ଅଧିକାରୀମାନେ ପ୍ରଶିକ୍ଷାର୍ଥୀ ଭାବେ ଏହି ବୈଠକରେ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ। ପୋଲିସ ଅଧିକାରୀ ଅମିତ କୁମାର ଭୂୟାଁଓ ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।