Odiapua.com

ଜାତୀୟତାବାଦୀ ଜନନାୟକ ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ

ଭୁବନେଶ୍ଵର, ୧୭.୧୨ (ଓଡ଼ିଆ ପୁଅ) ଆଜି ପୂର୍ବାହ୍ନ ୮ଟା ୩୦ମିନିଟ ସମୟରେ ମୟୁରଭଞ୍ଜର ପ୍ରଜାବତ୍ସଳ ମହାରାଜ ତଥା ଉତ୍କଳ ସମ୍ମିଳନୀର ୧ମ ସଭାପତିଙ୍କ ୧୫୧ତମ ଜୟନ୍ତୀ ଉପଲକ୍ଷେ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ପାୱାର ହାଉସ ଛକରେ ଥିବା ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଭୁବନେଶ୍ଵର ନୂଆଗାଁ ଠାରେ ସମ୍ମିଳନୀ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ମହାରାଜଙ୍କ ଅଶେଷ ଗୁଣାବଳୀକୁ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବକ୍ତାମାନେ ତାଙ୍କୁ ମୟୁରଭଞ୍ଜର ପ୍ରାତଃ ସ୍ମରଣୀୟ ମହାରାଜା କେବଳ ନୁହଁନ୍ତି ଜଣେ ଜାତୀୟତାବାଦୀ ଜନନାୟକ ଭାବରେ ସମଗ୍ର ଓଡ଼ିଆ ଜାତିର ବୈକଲ୍ୟ ସମୟରେ ସ୍ଵତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ବିଜୟର ବୈଜୟନ୍ତୀ ଉଡାଇବା ଲକ୍ଷ୍ୟନେଇ ଗଠିତ ଉତ୍କଳ ସମ୍ମିଳନୀର ନେତୃତ୍ଵ ନେଇ ସେ ମହନୀୟତାର ଯେଉଁ ସ୍ପଷ୍ଟ ଛବି ରଖିଯାଇଛନ୍ତି, ତାହାଙ୍କୁ ନିଶ୍ଚିତ ଅମର ରଖିବ ବୋଲି ପ୍ରକାଶ କରିଥିଲେ। ତାଙ୍କର ସରଳ, ନିଷ୍କପଟ ସାଧୂତାପୂର୍ଣ୍ଣ ନେତୃତ୍ଵ ଆଜିର ଯୁବପିଢୀ ବିଶେଷ କରି ଯୁବ ନେତୃତ୍ଵଙ୍କ ପାଇଁ ଅତ୍ୟନ୍ତ ଅନୁକରଣୀୟ ମଧ୍ୟ। ନିଜ ରାଜ୍ୟ ଶାସନରେ ସେ ଗଣତନ୍ତ୍ରର ପ୍ରତିନିଧିମୂଳକ ବ୍ୟବସ୍ଥା ଅନୁସରଣ କରିବାରେ ଅଗ୍ରଗଣ୍ୟ ଥିଲେ ବୋଲି ଆମ୍ଭମାନଙ୍କୁ ସ୍ଵୀକାର କରିବାକୁ ହେବ। ଏହି ଅବସରରେ ତାଙ୍କୁ ଅଧିକ ଜନପ୍ରିୟ କରିବା ଦିଗରେ ପଦକ୍ଷେପମାନ ନେବାକୁ ସରକାରଙ୍କ ଠାରେ ଦାବି କରାଯାଇଥିଲା।

ଉପରୋକ୍ତ ସଭାରେ ସମ୍ମିଳନୀର ଅନ୍ୟମାନଙ୍କ ମଧ୍ୟରେ ତ୍ରିନାଥ ସାମନ୍ତରାୟ, ଇଂ. ସତ୍ୟଜିତ ନାୟକ, ପଠାଣୀ ଜେନା, ଯୁଗଳ କିଶୋର ନାୟକ, ଅଧିବକ୍ତା ବିକାଶ ତ୍ରିପାଠୀ, ବୈରାଗୀ ସେଠୀ, ସୌଭାଗ୍ୟ ମହାପାତ୍ର, ନଗେନ କୁମାର ନାୟକ, ଇଂ. ନିଖିଳ ପ୍ରସାଦ ଦାଶ, ଇଂ. ଶିବନାରାୟଣ, ପବିତ୍ର ସାହୁ, ସୁରେନ୍ଦ୍ର ପାଇଲ ପ୍ରମୁଖ ଉପସ୍ଥିତ ରହି ମହାରାଜଙ୍କ ଗୁଣଗାନ କରିଥିଲେ।