ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ “ଜାତୀୟକବି” ଉପାଧିକୁ ନେଇ ବିବାଦ ଥମୁ ନଥିବା ବେଳେ ପୁଣି ଏକ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତରଫରୁ ଓଡ଼ିଶାର ସାହିତ୍ୟ ଏକାଡେମୀ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ଜଗତସିଂହପୁର ଠାରେ ଏବଂ ଜାତୀୟକବି ବାଂଚାନିଧି ମହାନ୍ତିଙ୍କ ଜୟନ୍ତୀ ଭଦ୍ରକ ଠାରେ ପାଳିତ କରି ଆସୁଛନ୍ତି। ଗତ ସରକାରଙ୍କ ସମୟରେ ଭୁବନେଶ୍ୱର ରାଜଭବନ ନିକଟରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ଗତ ୨୦୧୯ ମସିହା ମାର୍ଚ୍ଚ ୪ତାରିଖ ରେ ତତ୍କାଳୀନ ସଂସ୍କୃତିମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ଭୁବନେଶ୍ୱର ତତ୍କାଳୀନ ସାଂସଦ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ,ବିଧାୟକ ବିଜୟ କୁମାର ମହାନ୍ତି,ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରଭୃତିଙ୍କ ଉପସ୍ଥିତିରେ ଅନାବରଣ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ ନିୟମିତ ଭାବରେ ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଭଦ୍ରକ ଠାରେ ଆୟୋଜିତ ହୋଇ ଆସୁଛି। ପରିତାପର ବିଷୟ ଯେ ଚଳିତ ବର୍ଷ ନିକଟରେ ବରୀ ଲୋକ ମହୋତ୍ସବର ପଂଚମ ସଂଧ୍ୟା ମଂଚର ନାମକରଣ ” ଜାତୀୟକବି ବାଞ୍ଛାନିଧି ଦାସ ” କୁ ନେଇ ସ୍ଥାନୀୟ ଅଂଚଳରେ ଏହାକୁ ତୀବ୍ର ବିରୋଧ କରାଯିବା ସହ ଏ ପ୍ରସଙ୍ଗକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି।ବରୀ ଠାରେ ମହୋତ୍ସବର ଆୟୋଜନ କରୁଥିବା କମିଟି ବାଞ୍ଛାନିଧି ଦାସଙ୍କୁ ଜାତୀୟକବି ଭାବରେ ଅଭିହିତ କରି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରିଛନ୍ତି। ଜଣେ କବିଙ୍କ ଉପାଧିକୁ ଆଉ ଜଣେ କବିଙ୍କ ନାମ ସହ ଯୋଡାଯିବା ଦ୍ୱାରା ପ୍ରକୃତ କବିଙ୍କୁ ଅସମ୍ମାନିତ କରାଯାଇଛି ବୋଲି ଭଦ୍ରକ ” ଜାତୀୟ କବି ବାଞ୍ଛାନିଧି ମହାନ୍ତି ସ୍ମୃତି ସଂସଦର ଉପ ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍୍ୟ ପ୍ରଫେସର ଡ ଶଶଧର ଦାସ ଜଣାଇଛନ୍ତି। ପ୍ରକାଶ ଥାଉକି ଭୁବନେଶ୍ୱରର ଜନୈକ ବରିଷ୍ଠ ଲେଖକ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଏକ କବିତାଂଶକୁ ବୀରକିଶୋର ଦାସଙ୍କ ଲେଖା ବୋଲି ଉଦ୍ଧୃତ କରିଥିବାରୁ ପ୍ରଫେସର ଡ ଶଶଧର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବିରୋଧ ଓ ଅଭିଯୋଗ କରିବା ପରେ ସଂପୃକ୍ତ ଲେଖକ କ୍ଷମା ପ୍ରାର୍ଥନା କରିଥିଲେ।