Odiapua.com

ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ଘରେ ଘରେ ଉଡୁ ତ୍ରିରଙ୍ଗା : ସମୀର ମହାନ୍ତି

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ
ରାଜ୍ୟରେ ଥିବା ୧ କୋଟି ୧୫ ଲକ୍ଷ ପରିବାରଙ୍କ ଘରେ ଉଡୁ ତ୍ରିରଙ୍ଗା
ଭୁବନେଶ୍ୱର, ୨୯/୦୭ (ଓଡ଼ିଆ ପୁଅ) : ଅମୃତ ମହୋତ୍ସବ କାଳଖଣ୍ଡରେ ଓଡ଼ିଶା ସବୁଠାରୁ ଅଧିକ ଗର୍ବ ଓ ଗୌରବ ପ୍ରାପ୍ତ ହୋଇଛି। ଓଡିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଯାହା ଅମୃତ କାଳଖଣ୍ଡର ଅମୃତ ମହୋତ୍ସବ ପରିପ୍ରେକ୍ଷିରେ ଓଡ଼ିଆଙ୍କୁ ଗର୍ବିତ ଓ ଗୌରବାନ୍ୱିତ କରିଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ବିଗତ ୭୫ ବର୍ଷର ସ୍ୱାଧୀନତାର ସମୟ ବର୍ତମାନର ପିଢ଼ି ପାଇଁ ଅମୃତ ସଦୃଶ। ଏହା ଏପରି ଏକ ଅମୃତ ଯାହାକି ଆମକୁ ଦେଶର ପ୍ରତ୍ୟେକ ମୂହୁର୍ତ ପାଇଁ ବଂଚିବାକୁ ଓ ଆଗକୁ ବଢ଼ିବାକୁ ପ୍ରେରିତ କରିବ ବୋଲି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅମୃତ ମହୋତ୍ସବ ଅବସରରେ ‘ହର ଘର ତ୍ରିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ର କାର୍ଯ୍ୟକ୍ରମ ଆସନ୍ତା ୯ଅଗଷ୍ଟ ୨୦୨୨ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପାଳନ କରିବ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ତ୍ରିରଙ୍ଗା ପତାକା ହେଉଛି ଜାତୀୟତା, ରାଷ୍ଟ୍ରୀୟତା ଓ ସ୍ୱାଭିମାନର ପ୍ରତୀକ, ଯାହା ଦେଶବାସୀଙ୍କ ପାଖରେ ଅମୃତ କାଳଖଣ୍ଡରେ ଉଦ୍ରେକ ହେଉ। ‘ଆଜାଦୀକା ଅମୃତ ମହୋତ୍ସବ’ ଅର୍ଥାତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ରାଜ୍ୟର ପ୍ରାୟ ୧କୋଟି ୧୫ଲକ୍ଷ ପରିବାର ‘ହର ଘର ତ୍ରିରଙ୍ଗା’ ପାଳନ କରିବାକୁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତା ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସ ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତକୁ ଶ୍ରେଷ୍ଠ ଭାରତ କରିବା ପାଇଁ ସମସ୍ତ ଦେଶବାସୀ ତାଙ୍କ ପରିବାରର ସର୍ବ କନିଷ୍ଠ ସଦସ୍ୟଙ୍କ ହାତରେ ପତାକା ଉତୋଳନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଥିବା ଶ୍ର୍ରୀ ମହାନ୍ତି କହିଛନ୍ତି। ଅଗଷ୍ଟ ୯ ରୁ ୧୧ତାରିଖ ତ୍ରିରଙ୍ଗା ଯାତ୍ରା ଏବଂ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସହର ୱାର୍ଡ, ପଂଚାୟତ ସ୍ତରରେ ସାଧାରଣ ଜନତାଙ୍କୁ ପ୍ରଭାତ ଫେରି ମାଧ୍ୟମରେ ସଚେତନ କରାଯିବ। ସେହିପରି ଅଗଷ୍ଟ ୧୩ ରୁ ୧୫ ତାରିଖ ଓଡ଼ିଶାର ୧କୋଟି ୧୫ଲକ୍ଷଙ୍କ ଘରେ ଜାତୀୟ ପତାକା ଉଡାଇବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଏହି ପରିପ୍ରେକ୍ଷିରେ ସଚିବାଳୟରୁ ପଂଚାୟତ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଓ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ରାଜ୍ୟର ସମସ୍ତ ନାଗରିକ ନିଜ ନିଜ ଘରେ ଜାତୀୟ ପତାକା ଉତୋଳନ କରି ଏହି ମୂହୁର୍ତକୁ ସ୍ମରଣୀୟ କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। ଦେଶର ପ୍ରଥମ ଓଡ଼ିଆ ମହିଳା ଆଦିବାସୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଓଡିଆଙ୍କୁ ସମ୍ମାନ ଦେଉଥିବା ଯଶ୍ୱସୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଚିତ୍ରକୁ ପ୍ରତ୍ୟେକ ଘରେ ଓ କାର୍ଯ୍ୟାଳୟରେ ଲଗାଇବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ଏହି ଫଟୋ ସମସ୍ତ ଓଡ଼ିଆଙ୍କୁ ଗର୍ବିତ ଓ ଗୌରବାନ୍ୱିତ କରିବା ସହ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହେଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତାର ୭୫ ବର୍ଷର ପ୍ରତ୍ୟେକ ମୂହୁର୍ତରୁ ଶକ୍ତି ଆହରଣ କରିବା ପାଇଁ ଅମୃତ ମହୋତ୍ସବର ଲକ୍ଷ୍ୟ। ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶରେ ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ ନେବା ଅମୃତ ମହୋତ୍ସବର ଲକ୍ଷ୍ୟ ବୋଲି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଅମୃତ ମହୋତ୍ସବର ଅମୃତ କାଳରେ ନୂଆ ବିଚାର, ନୂଆ ସଂକଳ୍ପ ନେଇ ଆତ୍ମନିର୍ଭର ଭାରତ ଗଠନକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ମହତ୍ୱ କାର୍ଯ୍ୟରେ ଆଜିର ଯୁବପିଢ଼ି ସାମିଲ ହେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।