Odiapua.com

ଜାତିଭିତ୍ତିକ ଜନଗଣନା ଏବଂ ଶିକ୍ଷା ତଥା ଚାକିରି କ୍ଷେତ୍ରରେ ଓବିସି ବର୍ଗ ୨୭% ଭାଗ ସଂରକ୍ଷଣ ଦାବୀ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଯାଦବ ମହାସଭା ତରଫରୁ ସ୍ମାରକପତ୍ର ପ୍ରଦାନ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ସାଧାରଣ ଜନଗଣନା ୨୦୨୧ ସମୟରେ ଜାତି ଭିତ୍ତିକ ଜନଗଣନା ଦାବୀ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି । ସମ୍ବିଧାନର ଧାର ୧୫(୪) ଓ ୧୬(୪) ରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ଉନ୍ନତି ବିଧାନ ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଅଛି । ଉକ୍ତ ବର୍ଗର ସଠିକ ଜନସଂଖ୍ୟା ନିରୁପଣ ପୂର୍ବକ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସେମାନଙ୍କ ପ୍ରତିନିଧିତ୍ୱ ଆକଳନ ନିତ୍ୟାନ୍ତ ଆବଶ୍ୟକ । ଫଳରେ ସାମାଜିକ କ୍ଷେତ୍ରରେ ସେମାନଙ୍କର ଉତ୍‌ଥାନ ପାଇଁ ଆବଶ୍ୟକ ନୀତି ନିର୍ଦ୍ଧାରଣ ସମ୍ଭବ ହୋଇପାରିବ । ମଣ୍ଡଳ ଆୟୋଗର ଐତିହାସିକ ସୁପାରିଶ୍ ଫଳରେ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ରହିଆସୁଥିବା ଓବିସି ସମୁଦାୟ ଜନସଂଖ୍ୟାର ୫୨ଭାଗ ଲୋକଙ୍କ ପାଇଁ ୨୭% ଭାଗ ସ୍ଥାନ ସଂରକ୍ଷଣ କରାଯାଇଅଛି । ମଣ୍ଡଳ ଆୟୋଗ ୧୯୩୧ ମସିହା ଜାତିଭିତ୍ତିକ ଗଣନାର ତଥ୍ୟକୁ ଆଧାର କରି ଉପରୋକ୍ତ ସୁପାରିଶ ପ୍ରଦାନ କରିଥିଲେ । ଦୀର୍ଘ ବର୍ଷ ଧରି ଆଉ ଜାତିଭିତ୍ତିକ ଜନଗଣନା କରାଯାଇ ନାହିଁ । ସମ୍ବିଧାନର ମୁଖବନ୍ଧରେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ବଂଚିତ ହୋଇ ରହିଆସୁଥିବା ଶ୍ରେଣୀର ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଉଦ୍‌ପୋଷଣ କରାଯାଇଅଛି ।

ବାସ୍ତବରେ ସାମାଜିକ ଶିକ୍ଷାକ୍ଷେତ୍ରରେ ପଛୁଆ ରହିଆସୁଥିବା ସମଗ୍ର ଜନସଂଖ୍ୟାରେ ୫୨ଭାଗ ଯାହା ଏକ ବିରାଟ ଅଂଶ ଏବେବି ଉଚିତ୍ ନ୍ୟାୟ ପାଇ ପାରୁନାହାଁନ୍ତି । ପଛୁଆ ବର୍ଗର ଲଗାଦର ଦାବୀ ଫଳରେ ପୂର୍ବବର୍ତ୍ତୀ ସରକାର ୨୦୧୧ ମସିହାରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଗଣତନ୍ତ୍ରର ପବିତ୍ର ମନ୍ଦିର ରୂପେ ବିବେଚିତ ସଂସଦରେ ଅନେକଥର ଘୋଷଣା କରିଥିଲେ । ସେହିପରି ବର୍ତ୍ତମାନର କେନ୍ଦ୍ର ସରକାର ୨୦୨୧ ମସିହାରେ ଜାତିଭିତ୍ତିକ ଗଣନା କରିବା ପାଇଁ ୨୦୧୮ ମସିହାରେ ତତ୍‌କାଳୀନ ମାନନୀୟ କେନ୍ଦ୍ରୀୟ ଗୃହମନ୍ତ୍ରୀ ସଂସଦରେ କହିଥିଲେ । ସଂପ୍ରତ୍ତି ସରକାରଙ୍କର ନିଜସ୍ୱ ନିଷ୍ପତ୍ତି ପରିବର୍ତ୍ତନ କରିଥିବାରୁ ସମଗ୍ର ଜନସଂଖ୍ୟାର ବିରାଟ ଅଂଶ ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ ପଛୁଆବର୍ଗ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ହୋଇଅଛି । ତେଣୁ ଭଦ୍ରକ ଜିଲ୍ଲା ଯାଦବ ମହାସଭା ପ୍ରଥମେ ନୂତନ ଜିଲ୍ଲାପାଳ ଭଦ୍ରକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ପରେ ୨୦୨୧ ମସିହାରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯାଦବ ମହାସଭା ଭଦ୍ରକର କାର୍ଯ୍ୟକାରୀ ସଭାପତି ମନୋଜ ପାଣ୍ଡବଙ୍କ ନେତୃତ୍ୱରେ ଯାଦବ ମହାସଭାର ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ଦାସ, ମୁଖ୍ୟ ଉପଦେଷ୍ଟା ଆଇନ୍‌ଜୀବୀ ଅମର ବାରିକ୍‌, କାହ୍ନୁଚରଣ ବାରିକ୍‌, ବାପୁଜୀ ପରିଡ଼ା, ଶରତ ମହାକୁଡ଼, ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ପ୍ରକାଶଜ୍ୟୋତି ମହାକୁଡ଼, ଉପସଭାପତି ଲିପିକା ବାରିକ୍‌, ସାଧାରଣ ସଂପାଦକ ସୁଶାନ୍ତ ମହାକୁଡ଼, ରଶ୍ମିରଂଜନ ମହାକୁଡ଼, ସଂପାଦକ ପ୍ରିୟାଶୁଂ ସାହାଣୀ, ପ୍ରଫୁଲ୍ଲ ପୃଷ୍ଟି , ଜ୍ଞାନରଂଜନ ବାରିକ୍‌, ପ୍ରଦୀପ ଦାସମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।