Odiapua.com

ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା(୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି। ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨୭, ୨ଠ୨୨ ଦିନ ଭାରତର ୪୯ତମ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।

ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨ଠ୧୪ରେ ବାରରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏପରି ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବାରେ ଜଷ୍ଟିସ ଏସ୍ ଏମ୍ ସିକ୍ରୀଙ୍କ ପରେ ସେ ହେବେ ଦ୍ୱିତୀୟ ପ୍ରଧାନ ବିଚାରପତି। ଜଷ୍ଟିସ ଏସ୍ ଏମ୍ ସିକ୍ରୀ ୧୯୭୧ ମସିହାରେ ଦେଶର ୧୩ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଲଳିତ ଦୁଇଥର ସୁପ୍ରିମକୋର୍ଟ ଆଇନ ସେବା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ଜଷ୍ଟିସ ୟୁ ୟୁ ଲଳିତ ଅନେକ ଉଲ୍ଲେଖନୀୟ ରାୟ ଶୁଣାଇଛନ୍ତି। ନଭେମ୍ବର ୯, ୧୯୫୭ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମିତ ଜଷ୍ଟିସ ଲଳିତ ଜୁନ ୧୯୮୩ ମସିହାରେ ମହାରାଷ୍ଟ୍ର ଓ ଗୋଆର ବାର କାଉନସିଲରେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ। ୧୯୮୫ ମସିହା ଡିସେମ୍ବର ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ପରେ ଜାନୁଆରୀ ୧୯୮୬ରେ ସେ ତାଙ୍କ ଆଇନ ପେଶା ଦିଲ୍ଲୀ ସ୍ଥାନାନ୍ତରିତ କରିଥିଲେ।

ସେ ଅକ୍ଟୋବର ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ଶ୍ରୀ ସୋଲିଜେ ସୋରାବଜୀଙ୍କ ଚାମ୍ବରରେ କାର୍ଯ୍ୟ କରିଥିଲେ। ସୋରାବଜୀ ଦେଶର ମହା ଅଧିବକ୍ତା ଥିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୨ରୁ ୨ଠଠ୨ ମସିହା ପର୍ଯ୍ୟନ୍ତ ସେ ବିଧିବଦ୍ଧ ଭାବେ ଆଇନ ବ୍ୟବସାୟ କରିବା ସହ ୨ଠଠ୪ ମସିହା ଏପ୍ରିଲ ମାସରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଯେପରିକି ଜଙ୍ଗଲ ବିଷୟ, ଯାନବାହନ ପ୍ରଦୂଷଣ, ଯମୁନା ନଦୀ ପ୍ରଦୂଷଣ ଇତ୍ୟାଦି ବିଷୟରେ କୋର୍ଟ ମିତ୍ର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ସମସ୍ତ ୨-ଜି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇର ସ୍ୱତନ୍ତ୍ର ପବ୍ଲିକ ପ୍ରସିକିଉଟର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ।