ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳ ନିଷ୍କାସନ ସମସ୍ୟା ଭଦ୍ରକ ପୌରପାଳିକାର ପିଛା ଛାଡୁନି। ଲଗାତର ବର୍ଷା ଫଳରେ ସହରର ବିଭିନ୍ନ ୱାର୍ଡରେ ଜଳ ନିଷ୍କାସନ ହୋଇପାରୁନଥିବାରୁ ଘରଦ୍ୱାର ଜଳାର୍ଣ୍ଣବ ହୋଇପଡିଛି। ୱାର୍ଡବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଆଜି ଭଦ୍ରକ ମ୍ୟୁନସିପାଲଟି ଅନ୍ତର୍ଗତ ୩ ନଂ ୱାର୍ଡ ବରାଳପୋଖରୀ ଅଂଚଳର ସ୍ଥାୟୀ ବାସିନ୍ଦାମାନେ ଜଳ ନିଷ୍କାସନ ସମସ୍ୟା ନେଇ ଆଜି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏମାନଙ୍କର ଅଭିଯୋଗ ହେଲା ନକ୍ସା ଅନୁଯାୟୀ ରାସ୍ତାର ଉଭୟପାଶ୍ୱର୍କୁ କେତେକ ବ୍ୟକ୍ତି ବେଆଇନ୍ ଭାବେ ଅବରୋଧ କରିଥିବାରୁ ସଂପୃକ୍ତ ସଡକପଥଟି ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। ଏହି ଗ୍ରାମର ମଧ୍ୟଭାଗରେ ଏକ ବଡପୋଖରୀ ରହିଛି। ପୂର୍ବରୁ ଜଳ ନିଷ୍କାସନର ସୁବିଧା ଥିବାବେଳେ ବର୍ତମାନ ଏହା ଅବରୋଧ କରାଯାଇଛି। ଯାହାଦ୍ୱାରା ବର୍ଷାଦିନେ ଏହି ଅଂଚଳର ସମସ୍ତ ବାଡିଘର ଓ ରାସ୍ତାଘାଟରେ ଜଳ ପ୍ଲାବିତ ହେଉଛି। ଏହାବ୍ୟତୀତ ଏହି ଗ୍ରାମର ପାଖାପାଖି ଚାଷଜମି ଗୁଡିକ ଜଳାର୍ଣ୍ଣବ ପରିସ୍ଥିତି ହେତୁ ଚାଷକାର୍ଯ୍ୟ ହୋଇପାରୁନାହିଁ। ଅତୀତରେ ଯେଉଁସବୁ ପାଣିନାଳ ଥିଲା, ସେଗୁଡିକୁ ରାସ୍ତା ନିର୍ମାଣ କରି ଅବରୋଧ କରାଯାଇଛି। କେତେକ ବ୍ୟକ୍ତି ମଧ୍ୟ ସରକାରୀ ଜାଗାକୁ ଜବରଦଖଲ କରିଥିବା ଦୃଷ୍ଟିରୁ ବର୍ଷାଦିନରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ବିଗତ ବର୍ଷରେ ରାସ୍ତା ଅବରୋଧ ଦ୍ୱାରା ରାସ୍ତାରେ ଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଦୁଇ ଫୁଟ୍ ଉଚ୍ଚ ପାଣିରେ ଗାଁଲୋକମାନେ ଯିବାଆସିବା କରିବାକୁ ପଡୁଛି। ଏହି ବେଆଇନ୍ ରାସ୍ତା ଅବରୋଧକୁ ମୁକ୍ତ କରିବା ପାଇଁ ଆଜି ଗ୍ରାମବାସୀମାନଙ୍କ ପକ୍ଷରୁ ଆଶିଷ ନାୟକ, ବ୍ରଜକିଶୋର ନାୟକ, ଦେବାଶିଷ ନାୟକ, ମନୋରଂଜନ ପତି, ସୁବାଶିଷ କୁମାର ନାୟକ, ମାୟାଧର ବେହେରା, ସୋମନାଥ ନାୟକ, ଶରତ ଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ପଲାଇ, ଲଳିତ ନାୟକ ପ୍ରମୁଖ ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।