Odiapua.com

ଜଳେଶ୍ୱରପୁର ପଂଚାୟତରେ ଦୋକାନ ଗୃହକୁ ନେଇ ବିବାଦ, ଟଙ୍କା ଜମା କରିବାର ୬ବର୍ଷ ପରେ ମଧ୍ୟ ମିଳୁନି ଗୃହ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱର ପୁର ପଂଚାୟତ ଦିନକୁ ଦିନ ବିବାଦୀୟ ହୋଇ ପଡିଥିବା ବେଳେ ଏହି ପଂଚାୟତରେ ହେଉଥିବା ବାଦ ବିବାଦର ସୁ ସମାଧାନ କେବେ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ଅନୁଯାୟୀ ଜଳେଶ୍ୱର ପୁର ପଂଚାୟତରେ ୨୦୧୬ ମସିହାରେ ଏକ ମାର୍କେଟ କମ୍ପେକ୍ସ ନିର୍ମାଣ ହୋଇଥିଲା । ୨୦୧୭ ମସିହାରେ ଏହି ମାର୍କେଟ କମ୍ପେକ୍ସରେ ହୋଇଥିବା ଘରକୁ ଭଡା ନେବା ପାଇଁ ସେହି ପଂଚାୟତର ସୁଧାକର ବିଶ୍ୱାଳ ତତକାଳୀନ ସରପଂଚ ମିନାରାଣୀ ବେହୁରାଙ୍କ ସହ କଥା ହୋଇଥିଲେ । ତତକାଳୀନ ସରପଂଚ ଗୋଟିଏ ଗୋଟିଏ ଘର ପାଇଁ ଅଗ୍ରୀମ ୧୦ହଜାର ଟଙ୍କା ପଂଚାୟତ ଅଫିସରେ ଜମା କରିବାକୁ କହିଥିଲେ । ପରେ ସୁଧାକର ବିଶ୍ୱାଳ ୨୭ଫେବୃଆରୀ ୨୦୧୭ ମସିହାରେ ଅମାନତ ଜମା ବାବଦରେ ୧୦ହଜାର ଟଙ୍କା ଏବଂ ଗୋଟିଏ ମାସର ଘରଭଡା ବାବଦ ପାଇଁ ୩ଶହ ଟଙ୍କା ଜଳେଶ୍ୱର ପୁର ପଂଚାୟତରେ ଜମା କରି ରସିଦ ପାଇଥିଲେ । ଇତି ମଧ୍ୟରେ ଦୀର୍ଘ ୬ବର୍ଷ ବିତିଯାଇଥିବା ପରେ ମଧ୍ୟ ଆଜି ପର୍ଯ୍ୟର୍ନ୍ତ ଜମାକାରୀ ଏହି ପଂଚାୟତରେ ନିର୍ମାଣହୋଇ ରହିଥିବା ମାର୍କେଟ କମ୍ପଲେକ୍ସ ରେ ଘର ଖଣ୍ଡିଏ ପାଇ ପାରିଲେ ନାହିଁ । ସଂପୃକ୍ତ ଜମାକାରୀ ଏ ବାବଦରେ ଚାନ୍ଦବାଲି ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ମଧ୍ୟ ନ୍ୟାୟ ନପାଇ ପାରିବାରୁ ସେ ଯାଇ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଉଁ ପରିସ୍ଥିତିରେ ସଂପୃକ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତତକାଳୀନ ସରପଂଚ ରସିଦ କାଟିବା ପରେ ମଧ୍ୟ ଗୃହ ହସ୍ତାନ୍ତରିତ କଲେ ନାହିଁ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏ ବାବଦରେ ଜଳେଶ୍ୱର ପୁର ପଂଚାୟତ କାର୍ଯ୍ୟନିବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ଅବଗତ ଅଛନ୍ତି ବୋଲି କହିଥିଲେ ମାତ୍ର କେବେ ଏହାର ସମାଧାନ କରିବେ ବୋଲି ପଚାରିବାରୁ ସେ କୌଣସି ଉତ୍ତର ରଖି ନଥିଲେ । ଯଦି ଭଦ୍ରକ ଜିଲ୍ଲାପାଳ ସଂପୃକ୍ତ ଜମାକାରୀଙ୍କୁ ନ୍ୟାୟ ନ ଦିଅନ୍ତି, ତାହେଲେ ସଂପୃକ୍ତ ଜମାକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।