Odiapua.com

ଜଳିଗଲା ଦୋକାନ ଓ ବାସଗୃହ; ନିଆଁରେ ଯୁବକ ଆହତ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ନିକଟ ଦେଓପତା ଗ୍ରାମର ମୋରଡା ଛକରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଚାରି ବଖରା ବାସଗୃହ ସମେତ ଦୋକାନ ଗୃହ ଜଳିଯିବା ସହ ଜଣେ ଯୁବକ ନିଆଁରେ ପୋଡିହୋଇ ଆହତ ହୋଇଥିବା ଜଣାଯାଇଛି । ଉଦୟନାଥ ଖଣ୍ଡେଇଙ୍କ ବାସଗୃହ ସଂଲଗ୍ନ ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ଏହାସହ ବାସଗୃହ ମଧ୍ୟ ଜଳିଯାଇଥିଲା । ଖବରପାଇ ଭଣ୍ଡାରିପୋଖରୀରୁ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା । ହେଲେ ଅଗ୍ନି ସଂସ୍ପର୍ଶରେ ଆସି ଉଦୟଙ୍କ ପୁଅ ଉତ୍ତମ(୨୪) ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଉତ୍ତମକୁ ମଞ୍ଜୁରୀରୋଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଇ ଦିଆଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି ।