Odiapua.com

ଜଳସେଚନ ଜମି ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ନେଇ ଚିନ୍ତାରେ ଚାଷୀକୂଳ

କେନ୍ଦ୍ରାପଡ଼ା, ୨୩ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି। ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଜନତା ହୀନସ୍ତା ଭୋଗୁଛନ୍ତି। ଗ୍ରାମାଞ୍ଚଳରେ ଜମି ଜବରଦଖଲ ଦୂରର କଥା ଖୋଦ ଜିଲ୍ଲା ସଦର ମହକୁମା ଓ ତା’ର ଆଖପାଖ ଅଞ୍ଚଳରେ ମୁଲ୍ୟବାନ ଦେବୋତ୍ତର ଜମି ସମେତ ସରକାରୀ ଗୋଚର, ଅନାବାଦୀ ଜମି ସମେତ ଜଳସେଚନ ବିଭାଗର କେନାଲ ବନ୍ଧ ଜମି ଓ ନୟନଜୋରୀ ଜମିକୁ ମାଡିବସି ଘର କରିବା ସହିତ ବେପାର କରିବା ଯୋଗୁଁ ଘୋର ସମସ୍ୟା ସୃଷ୍ଟି କରିଛି। କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ଗ୍ରାମ ସନ୍ନିକଟ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ଦକ୍ଷିଣପାଶ୍ୱର୍ରେ ଥିବା ଶହ ଶହ ଏକର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। କାରଣ ସେହି ପାଶ୍ୱର୍ରେ ଜଳସେଚନ ବିଭାଗର ଥିବା ନୟନଜୋରି ଓ କେନାଲକୁ ପୋତି ତାହା ଉପରେ କେତେକ ଲୋକ ଘର କରିଦେଇଛନ୍ତି। ଉଦବୃତ୍ତ ବର୍ଷାଜଳରେ ଲୋକଙ୍କ ଚାଷଜମି ବୁଡିରହିବା ଫଳରେ ଫସଲହାନୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ। ଗୁଲନଗର ଗ୍ରାମର ଦଣ୍ଡାମୁଣ୍ଡ ଛକ ଅପରପାଶ୍ୱର୍ରେ ଥିବା ଜଳସେଚନ ବିଭାଗର ୩ ଏକରରୁ ଉର୍ଦ୍ଧ୍ୱ ନୟନଜୋରି ଓ କେନାଲ ବନ୍ଧକୁ ଜବରଦଖଲ କରାଯାଇ ଦୋକାନ କରି ବ୍ୟବସାୟ କରିବା ସହ ଘର କରି ରହିବା ଯୋଗୁଁ ବିରାଟ ସମସ୍ୟା ସୃଷ୍ଟି ହୋଇଛି। ଏଥି ଯୋଗୁଁ ଗୁଲନଗର ଗ୍ରାମର ପ୍ରବେଶ ପଥ ସଙ୍କିର୍ଣ୍ଣ ହେବା ସହ ବର୍ଷାଦିନେ ପାଣି ଜମି ରହି ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ଚାଷଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଏସମ୍ପର୍କରେ ଜଳସେଚନ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। କଟକ- ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ୱ ମଧ୍ୟ ଧିରେ ଧିରେ ଜବରଦଖଲ ହେବାରେ ଲାଗିଛି। ତୁରନ୍ତ ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।