Odiapua.com

ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ନକ୍ସାର ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କଲେ ସାଂସଦ, ଖୁବଶୀଘ୍ର କୋଚିଳା ବ୍ୟାରେଜ ଓ ରେବ-କପାଳି ବିସ୍ଥାପିତଙ୍କୁ କ୍ଷତିପୂରଣ

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଭୁବନେଶ୍ୱର ସେଚସଦନ ଠାରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ନକ୍ସା ଡିଜାଇନ୍ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସହିତ ଧାମନଗର ଠାରେ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ କୋଚିଳା ବ୍ୟାରେଜ ଓ ମଲ୍ଲିମାହାରା ଗୌରାଙ୍ଗପୁର ଠାରେ ଏସ୍କେପ୍ ପ୍ରତିଷ୍ଠା ନିର୍ମାଣ ବାବଦରେ ଆଲୋଚନା ଓ ସମୀକ୍ଷା କରିଥିଲେ। ଏହି ଆଲୋଚନାରେ ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିôଥଲେ କୋଚିଳା ବ୍ୟାରେଜର ପ୍ରାୟ ୩୦ କୋଟି ଟଙ୍କା ଅଟକଳ ବ୍ୟୟରେ ସରକାରଙ୍କ ପକ୍ଷରୁ ତଙ୍ଖି ପ୍ରସ୍ତାବ ମାଧ୍ୟମରେ ଏକ ନିର୍ମାଣକାରୀ ସଂସ୍ଥାକୁ କାର୍ଯ୍ୟ ନ୍ୟସ୍ତ କରାଯାଇଅଛି। ଉକ୍ତ ନିର୍ମାଣକାରୀ ସଂସ୍ଥା ଏହି ବ୍ୟାରେଜର ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ମଲ୍ଲିମାହାରା-ଗୌରାଙ୍ଗପୁର ଏସ୍‌କେପ୍ ଉପେ ପୋଲ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ସରିଛି ବୋଲି ନକ୍ସା ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଥିଲେ। ଉକ୍ତ ଦୁଇଗୋଟି ପ୍ରକଳ୍ପର ସରକାର ଅର୍ଥ ମଂଜୁର କରିସାରିଛନ୍ତି। ଖୁବଶୀଘ୍ର ଡିସେମ୍ବର ମାସ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସରି କାର୍ଯ୍ୟ ଆରମ୍ଭ ହେବ। ଏବଂ ଉକ୍ତ ତିନିଗୋଟି ପ୍ରକଳ୍ପର ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇ କାର୍ଯ୍ୟ ଆରମ୍ଭ ହେବ। ପ୍ରକାଶ ଥାଉକି କୋଚିଳା ବ୍ୟାରେଜ ଓ ମଲ୍ଲିମାହାରା-ଗୌରାଙ୍ଗପୁର ଏସ୍‌କେପ୍ ପ୍ରତିଷ୍ଠା, ଧାମନଗର ଓ ଯାଜପୁର ଓ ବିଂଝାରପୁର ଅଂଚଳ ପାଇଁ ବହୁଦିନର ଦାବି ଥିଲା।

ଏ ବାବଦରେ ବିଗତ ୨୦୧୪ ରୁ ୨୦୧୯ ମସିହା ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମୟରେ ବିଧାନସଭା ଠାରୁ ଆରମ୍ଭ କରି ଏବଂ ବିଧାନସଭା ପ୍ରଶ୍ନ ନମ୍ବର, ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ପ୍ରତିଶ୍ରୁତି ଏବଂ ବହୁବାର ବିଧାନସଭା ଜଳସଂପଦ ବିଭାଗ ଗୃହ କମିଟି ଓ ବିଧାନସଭା ଉପସ୍ଥାପନା କମିଟିର କ୍ଷେତ୍ର ପରିଦର୍ଶନ କରି ଜଳସଂପଦ ବିଭାଗକୁ ଉକ୍ତ ପ୍ରକଳ୍ପ ଗୁଡିକ ପାଇଁ ସୁପାରିଶ କରିଥିବାରୁ ତାହା ଆଜି ଧାମନଗର ଯାଜପୁରବାସୀଙ୍କ ପାଇଁ ସୁଫଳ ଓ ସାକାର ହେବାକୁ ଯାଉଛି। ଏତଦ୍‌ବ୍ୟତୀତ ରେବ-କପାଳି ବିସ୍ଥାପିତମାନଙ୍କୁ କ୍ଷତିପୂରଣ ବାବଦରେ ଆଲୋଚନା କରି ତାହା ଖୁବଶୀଘ୍ର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। କୋଚିଳା ବ୍ୟାରେଜ ପ୍ରତିଷ୍ଠା ହେବା ଦ୍ୱାରା ଏହା ଭଦ୍ରକ ଜିଲାର ପ୍ରଥମ ନଦୀବନ୍ଧ ଯୋଜନାରେ ପରିଗଣିତ ହେବା ସହ ଯାଜପୁର ଧାମନଗର ଅଂଚଳର ପ୍ରାୟ ଦୁଇ ହଜାର ହେକ୍ଟର ଜମି ଜଳସେଚିତ ସହିତ ବନ୍ୟା ନିୟନ୍ତ୍ରଣ ହୋଇପାରିବ। ସେହିପରି ମଲ୍ଲିମାହାରା-ଗୌରାଙ୍ଗପୁର ଏସକେପ ଉପରେ ପୋଲ ନିର୍ମାଣ ହେବାଫଳରେ ଗମନାଗମନ ପାଇଁ ପଥ ସୁଗମ ହୋଇପାରିବ। ଉକ୍ତ ପ୍ରକଳ୍ପଗୁଡିକ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାଜପୁରର ବିଧାୟକ ଓ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଧାମନଗରବାସୀଙ୍କ ତରଫରୁ କୃତଜ୍ଞତା ଜଣାଯାଇଛି।