Odiapua.com

ଜଳବନ୍ଦୀ ସମସ୍ୟା ଅନୁଧ୍ୟାନ କଲେ ସାଂସଦ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସଂପୋଇ, ନାରାୟଣପୁର, ରାମଚନ୍ଦ୍ରପୁର ଆଦି ଗ୍ରାମର ଚାଷଜମି ଜଳବନ୍ଦୀ ହେବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁଧ୍ୟାନ କରିଛନ୍ତି। ଗତ ରବିବାର ଅପରାହ୍ନରେ ସାଂସଦ ଶ୍ରୀମତୀ ମଣ୍ଡଳ, ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ବି- ଜେନା, ଜିଲ୍ଲାପରିଷଦ ସଦସ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ବିଜୟ କୁମାର ସ୍ୱାଇଁ, ସମାଜସେବୀ ଦେବେନ୍ଦ୍ର ଦାଶ, ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସେନାପତି, ମହେଶ୍ୱର ସାହୁ ପ୍ରମୁଖ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଅସରାଏ ବର୍ଷାରେ ପ୍ରତିବର୍ଷ ଏହି ସମସ୍ତ ଗ୍ରାମର ଚାରିଶହ ଏକର ଚାଷ ଜମି ଜଳବନ୍ଦୀ ହୋଇ ଧାନଚାଷ ଅନୁପଯୋଗୀ ହୋଇପଡୁଥିବାରୁ ଚାଷୀମାନେ ଜମି ଥାଇ ମଧ୍ୟ କୃଷିଆୟ ହରାଉଛନ୍ତି ବୋଲି ସାଂସଦ ଓ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଏହି ଅଞ୍ଚଳରୁ ଉଦବୃତ୍ତ ଜଳ ଛତାବର ଛକ ପୂର୍ବରୁ ନେଉଳିଆ ଢ଼ାବା ଓ ପରେ ଅଣ୍ଡରପାସ ନିକଟରେ ଭୂତଳ ଭାବେ ଛତାବର-ବଳିଘାଇ ପୁର୍ତ୍ତ ବିଭାଗ ରାସ୍ତାର ଉଭୟପାଶ୍ୱର୍କୁ ଜଳ ନିଷ୍କାସନ କରୁଥିବା ପଥ ଅବରୋଧ ହୋଇଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ଦର୍ଶାଯାଇଥିଲା। ସମ୍ପ୍ରତି ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଏହି ସମସ୍ୟାକୁ ଗମ୍ଭୀର କରିଦେଇଛି ବୋଲି ମଧ୍ୟ ସାଂସଦ ଓ ବିଧାୟକ ଅନୁଭବ କରିଥିଲେ। ପୁନଶ୍ଚ ଛତାବର ଛକରୁ ଭଣ୍ଡାରିପୋଖରୀ ‘ଜ’ ନାଳକୁ ସଂଯୁକ୍ତ କରୁଥିବା ନୟନଜୋରୀ ବିଭିନ୍ନ ସ୍ଥାନରେ ଅବରୋଧ ହୋଇଥିବାରୁ ଜଳନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଉଭୟ ଜଳନିଷ୍କାସନ ପାଇଁ ଉଦ୍ଦିଷ୍ଟ ପ୍ରାକୃତିକ ନାଳର ପୁନଃଉଦ୍ଧାର କରାଯିବା ସହ ଅବରୋଧକୁ ହଟାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବାକୁ ସାଂସଦ ପ୍ରତିଶ୍ରୁତି ଦେଇଥିଲେ। ଫଟୋ-ସାଂସଦଙ୍କ ଜଳବନ୍ଦୀ ସମସ୍ୟା।